ରାଇଘର:20//8,(ଉତ୍କଳ ସମାଚାର) (ନରସିଂବାଘ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାର୍ଯ୍ୟାଳୟରେ ସରକାରୀ ବୈଠକ ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କ୍ଷେତ୍ରରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୈଠକ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଉଥିବା ବେଳେ ଅନ୍ୟ କିଛି ପ୍ରତିନିଧିଙ୍କୁ ସୂଚନା ଦିଆଯାଉନଥିବା ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ସ୍ତରରେ ବିଭିନ୍ନ ପ୍ରଶ୍ନ ଉଠିଛି। ସରକାରୀ ବୈଠକ ଓ ଜନସାଧାରଣ ସମ୍ପର୍କିତ କାର୍ଯ୍ୟକ୍ରମର ସୂଚନା କେବଳ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଦିଆଯିବାର ମାପଦଣ୍ଡ କ’ଣ? ଯଦି ପ୍ରଶାସନ ପକ୍ଷରୁ କୌଣସି ନିୟମ ବା ମାପଦଣ୍ଡ ରହିଛି, ତେବେ ତାହା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସମାନ ଭାବେ ଲାଗୁ ହେଉଛି କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଗଣମାଧ୍ୟମ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ। ତେଣୁ ସରକାରୀ କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଓ ସମାନତା ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି। କାହାକୁ ସୂଚନା ଦିଆଯିବ ଓ କାହାକୁ ଦିଆଯିବ ନାହିଁ—ଏଭଳି ଚୟନ ପ୍ରକ୍ରିୟା ଯଦି ରହିଥାଏ, ତେବେ ଏହାର ଆଧାର ଓ ସ୍ୱଚ୍ଛତା ସମ୍ପର୍କରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟତା ଆସିବା ଜରୁରୀ।ସରକାରୀ କାର୍ଯ୍ୟାଳୟ କୌଣସି ବ୍ୟକ୍ତି କିମ୍ବା ନିର୍ଦ୍ଦିଷ୍ଟ ଗୋଷ୍ଠୀର ନୁହେଁ, ଏହା ସାଧାରଣ ଲୋକଙ୍କର। ତେଣୁ ସରକାରୀ ବୈଠକ, କାର୍ଯ୍ୟକ୍ରମ ଓ ଜନସାଧାରଣ ସମ୍ପର୍କିତ ସୂଚନା ପ୍ରଦାନରେ ନିରପେକ୍ଷତା ରହିବା ଆବଶ୍ୟକ। ନଚେତ ଏହା କେବଳ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଅସମ୍ମାନର ପ୍ରଶ୍ନ ନୁହେଁ, ବରଂ ପ୍ରଶାସନିକ ବ୍ୟବସ୍ଥାର ସ୍ୱଚ୍ଛତା ନେଇ ମଧ୍ୟ ପ୍ରଶ୍ନଚିହ୍ନ ସୃଷ୍ଟି କରିବ।ବେ କାହା ନିର୍ଦ୍ଦେଶରେ ଏଭଳି ଚୟନ କରାଯାଉଛି? କାହିଁକି ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମାନ ଭାବେ ସୂଚନା ଦିଆଯାଉନାହିଁ? ଏଭଳି ଅଭିଯୋଗ ଉପରେ ରାଇଘର ବ୍ଲକ ପ୍ରଶାସନ କେବେ ସ୍ପଷ୍ଟୀକରଣ ଦେବ, ତାହାକୁ ନେଇ ଏବେ ଅପେକ୍ଷା ରହିଛି।
