ନବରଙ୍ଗପୁର, ତା. ୨୦.୦୮.୨୦୨୬:(ଉତ୍କଳ ସମାଚାର)ନାଗରିକଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରିବା ଦିଗରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଞ୍ଚାୟତ ଛାରପଦର ଗ୍ରାମର ଶ୍ରୀମତୀ ତୁଳସା ସାନ୍ତା (୭୦)ଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇନଥିବା ସମ୍ପର୍କିତ ଅଭିଯୋଗ ଉପରେ ପ୍ରଶାସନ ପକ୍ଷରୁ ତତ୍ପରତାର ସହିତ ଆବଶ୍ୟକ ପଦକ୍ଷେପ ନିଆଯାଇଛି।ଅଭିଯୋଗ ପାଇବା ପରେ ସମ୍ପୃକ୍ତ ବୁଥ୍ସ୍ତରୀୟ ଅଧିକାରୀ (BLO)ଙ୍କ ଦ୍ୱାରା ତୁଳସା ସାନ୍ତାଙ୍କ ସମ୍ପର୍କରେ ବିସ୍ତୃତ କ୍ଷେତ୍ର ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଆବଶ୍ୟକ ତଥ୍ୟ ଓ ଦଲିଲପତ୍ର ଯାଞ୍ଚ କରାଯିବା ସହିତ ତାଙ୍କ ଯୋଗ୍ୟତା ଓ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମ୍ପର୍କିତ ଆବଶ୍ୟକ ପ୍ରକ୍ରିୟା ବିଷୟରେ ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା।କ୍ଷେତ୍ର ତଦନ୍ତ ପରେ ତୁଳସା ସାନ୍ତାଙ୍କ ନାମ ନିର୍ବାଚନୀ ଭୋଟର ତାଲିକାରେ ସାମିଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ତୁରନ୍ତ ଆରମ୍ଭ କରାଯାଇଛି। ଏହି କ୍ରମରେ ଭୋଟର ତାଲିକାରେ ନୂତନ ଭାବେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ-୬ ସଫଳତାର ସହିତ ୭୫-ଏସିର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ନିକଟରେ ଦାଖଲ କରାଯାଇଛି।ଫର୍ମ-୬ ଦାଖଲ ପରେ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁଯାୟୀ ଆବଶ୍ୟକ ଯାଞ୍ଚ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ହେବାର ପଥ ସୁଗମ ହୋଇଛି। ଏହା ଫଳରେ ତାଙ୍କର ନିର୍ବାଚନୀ ପ୍ରକ୍ରିୟାରେ ଅଂଶଗ୍ରହଣ ଅଧିକାର ସୁନିଶ୍ଚିତ ହେବ।ନିର୍ବାଚନୀ ଭୋଟର ତାଲିକାକୁ ସଠିକ୍, ନିର୍ଭୁଲ ଓ ସମାବେଶୀ କରିବା ଦିଗରେ BLO, ERO ଓ ସମ୍ପୃକ୍ତ ନିର୍ବାଚନୀ କର୍ମଚାରୀମାନେ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। ବିଶେଷକରି ବୟସ୍କ, ଦିବ୍ୟାଙ୍ଗ, ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏବଂ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମ୍ପର୍କରେ ସହାୟତା ବଶ୍ୟକ କରୁଥିବା ଯୋଗ୍ୟ ନାଗରିକଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଉଛି।ତୁଳସା ସାନ୍ତାଙ୍କ ଅଭିଯୋଗ ଉପରେ ତ୍ୱରିତ କ୍ଷେତ୍ର ତଦନ୍ତ, ଫର୍ମ-୬ ଦାଖଲ ଏବଂ ଭୋଟର ତାଲିକାରେ ନାମ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ମାଧ୍ୟମରେ ଜିଲ୍ଲାରେ “ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନିର୍ବାଚନୀ ଅଧିକାର ସୁନିଶ୍ଚିତ” କରିବା ପ୍ରତି ପ୍ରଶାସନର ପ୍ରତିବଦ୍ଧତା ସ୍ପଷ୍ଟ ହୋଇଛି।
