ନବରଙ୍ଗପୁର:21//8,(ଉତ୍କଳ ସମାଚାର) ଜିଲ୍ଲାର କୋଡ଼ିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରା ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରି ୩୩ କିଲୋ ୭୧୦ ଗ୍ରାମ ଗଞ୍ଜେଇ ଜବତ ସହ ତିନି ଅଭିଯୁକ୍ତ ଙ୍କୁ ଧରି କୋର୍ଟ ଚାଲାଣ କରିଛି ପୋଲିସ। ପୋଲିସର ସୂଚନା ପ୍ରକାରେ ଗନବରଙ୍ଗପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗତକାଲି ରାତିରେ କୋଡ଼ିଙ୍ଗା ଥାନା ଅଧୀନ କର୍ଚ୍ଚାମାଲ ଗାଁ ନିକଟରେ ଏହି ଚଢ଼ାଉ କରିଥିବା ଦେଖିବାକୁ ମିଳିଛି। ଚଢ଼ାଉ ସମୟରେ ସିଲଭର୍ ରଙ୍ଗର ଏକ ବୋଲେରୋ ଗାଡ଼ି, ଗାଡି ନମ୍ବର OR10F8345, କୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡ଼ି ଭିତରୁ ମୋଟ ୩୩ କିଲୋ ୭୧୦ ଗ୍ରାମ ଚୋରା ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ସହିତ ୧୪ଟି ଜରି ବ୍ୟାଗ୍, ଯେଉଁଥିରେ ଧାନ ନଡ଼ା ଓ ଭଙ୍ଗା ଇଟା ରହିଥିଲା, ସେଗୁଡ଼ିକୁ ମଧ୍ୟ ପୋଲିସ ଜବତ କରିଛି। ଏହା ସହିତ ଏକ ହଜାର କୁଡ଼ିଏ ଟଙ୍କା ନଗଦ ଏବଂ ୩ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ପୋଲିସ। ଏହି ଘଟଣାରେ ତିନି ଜଣମୁଖ୍ୟ ଅଭିଯୁକ୍ତ ଙ୍କୁ ପୋଲିସ ଧରି ଆଜି କୋର୍ଟ ଚାଲାଣ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ପାପଡାହାଣ୍ଡି ଏସ୍ଡ଼ିପିଓ ସତ୍ୟଜିତ କେଣ୍ଡେଲକେଲ । ତିନି ଅଭିଯୁକ୍ତ କୋରାପୁଟ ଜିଲ୍ଲାର ଜୟପୁର ଟାଉନ୍, ଜୟପୁର ସଦର ଏବଂ ବୈପାରୀଗୁଡ଼ା ଥାନା ଅଞ୍ଚଳର ବୋଲି ସେ ସୂଚନା ଦେଇଛନ୍ତି। ଏହି ଚଢ଼ାଉ କୋଡ଼ିଙ୍ଗା ଥାନା ଅଧିକାରି ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ତିନି ଥାନା ଯଥା କୋଡ଼ିଙ୍ଗା ପାପଡାହାଣ୍ଡି ଏବଂ ମୈଦଳପୁର ତରଫରୁ ମିଳିତ ଭାବେ ସ୍ୱତନ୍ତ୍ର ତିନ ଗଠନ କରି କରାଯାଇଥିବା ଜଣାପଡିଛି। ଘଟଣାକୁ ନେଇ କୋଡ଼ିଙ୍ଗା ଥାନାରେ କେସ୍ ନମ୍ବର ୧୭୯/୨୬ , ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ଚୋରା ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ଏହି ଗଂଜେଇ ଚାଲାଣ ପଛରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଚୋରା ନିଶା କାରବାର ବିରୋଧରେ କୋଡ଼ିଙ୍ଗା ପୋଲିସର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
