ସମ୍ବଲପୁର,୩୧/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡିଶା ସରକାରଙ୍କର ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରାଞ୍ଚଳର ଉନ୍ନୟନ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି।ମନ୍ତ୍ରୀ ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ସହରର ବିକାଶ ହିଁ ରାଜ୍ୟର ବିକାଶର ମୂଳଦୁଆ। ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ କାଉନସିଲର ମାନଙ୍କ କଠିନ ପରିଶ୍ରମ ଦ୍ୱାରା ସହରାଞ୍ଚଳର ବିକାଶ ସମ୍ଭବ। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ। ବର୍ଷା ଦିନେ ସହରାଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ରୋକିବା ପାଇଁ ଉପଯୁକ୍ତ ଡ୍ରେନେଜ୍ ପ୍ରକଳ୍ପ ପ୍ରସ୍ତୁତ କଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ। ଏହା ସହିତ ସହରାଞ୍ଚଳର ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ବହୁମୁଖୀ ଆପାର୍ଟମେଣ୍ଟ/ଆଫୋର୍ଡେବଲ ହାଉସିଂ ସ୍କିମ୍ / ଆବାସ ଯୋଜନା ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ଜମି ଯୋଗାଇ ଦିଆଯିବ। ପୌର ସଂସ୍ଥାଗୁଡ଼ିକୁ ଅଧିକ କ୍ଷମତାସମ୍ପନ୍ନ ଓ ସଶକ୍ତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସମସ୍ତ ପୌରାଞ୍ଚଳକୁ ବିକଶିତ କରି ‘ବିକଶିତ ଓଡ଼ିଶା’ ତଥା ‘ବିକଶିତ ଭାରତ’ ଗଠନ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ ବୋଲି ସେ କହିଥିଲେ। ଏହି କାର୍ଯ୍ୟକର୍ମ ରେ ଜିଲ୍ଲାପାଳ ସମ୍ବଲପୁର ଯୋଗଦେଇ ସହରର ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ସ୍ଥାନରେ ଜଳ ବିଶୋଧନାଗାର ନିର୍ମାଣ କରାଯାଉଛି। ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ସ୍ୱତନ୍ତ୍ର ଡ୍ରେନେଜ୍ ଡିଭିଜନ୍ ଗଠନ କରାଯିବା ପାଇଁ ପ୍ରସ୍ତାବ ସରକାରଙ୍କ ବିଚାର ପାଇଁ ପଠାଯାଇଥିବା ସେ ପ୍ରକାଶ କରିଛନ୍ତି।ଏକ ସୁନ୍ଦର ତଥା ସୁପରିକଳ୍ପିତ ସମ୍ବଲପୁର ଗଠନ ଦିଗରେ ବେଆଇନ ଜମି ଲେ-ଆଉଟ୍ ବା ପ୍ଲଟିଂରୁ ନିବୃତ୍ତ ରହିବା ସହ ନିୟମିତ ପୌର ଟିକସ ପ୍ରଦାନ କରି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି।ଏସଏମସି କମିଶନର ରେହାନ ଖତ୍ରୀ ଯୋଗଦେଇ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। କମିଶନର ନିଜ ବକ୍ତବ୍ୟରେ ଜଣାଇଛନ୍ତି ଯେ ପୁରାତନ ଏହି ସଂସ୍ଥାରେ ବର୍ତ୍ତମାନ ଭିତ୍ତିଭୂମି ବିକାଶକୁ ଅଧିକ ତ୍ୱରାନ୍ୱିତ କରାଯାଉଛି, କମିଶନର କହିଥିଲେ ଯେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁଶାସନ ପ୍ରଦାନ କରିବା ନିଗମର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସରକାର ସହରାଞ୍ଚଳ ସ୍ଥାନୀୟ ପ୍ରଶାସନକୁ ରାସ୍ତା ନିର୍ମାଣ, ଆଲୋକୀକରଣ, ସାର୍ବଜନୀନ ଶୌଚାଳୟ, ଶ୍ମଶାନ ଏବଂ ପାର୍କ ରକ୍ଷଣାବେକ୍ଷଣ ଭଳି ଅନେକ ଦାୟିତ୍ୱ ତଥା ଆର୍ଥିକ ଅନୁଦାନ ହସ୍ତାନ୍ତର କରିଛନ୍ତି। ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ହୋଇଥିଲେ ମଧ୍ୟ ସମସ୍ତଙ୍କ ସହଯୋଗରେ ସମ୍ବଲପୁରକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବା ନେଇ ସେ ଆଶାବ୍ୟକ୍ତ କରିଥିଲେ। ଏହି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରାଯାଇଥିଲା I କାର୍ଯ୍ୟକ୍ରମରେ ଆୟୋଜିତ ପ୍ରବନ୍ଧ, ସ୍ଲୋଗାନ ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ, ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରେଷ୍ଠ ସ୍ୱଚ୍ଛ ସାଥୀ ଭାବେ ଲକ୍ଷ୍ମୀ ସେନାପତି, ଶ୍ରେଷ୍ଠ ସ୍ୱଚ୍ଛ ସୁପରଭାଇଜର ପିଙ୍କି ସିଂହ, ଶ୍ରେଷ୍ଠ ସାନିଟାରୀ ଇନ୍ସପେକ୍ଟର ବିଶ୍ୱନାଥ ଦେବତା ଏବଂ ସାନିଟେସନ୍ ଏକ୍ସପର୍ଟ ସୁମିତ ତାଣ୍ଡିଆଙ୍କ ସମେତ ଶ୍ରେଷ୍ଠ ଘରକୁ-ଘର ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଦଳ – ଡ୍ରାଇଭର ରେ ରାଜକୁମାର ସୁନା, ଶ୍ରେଷ୍ଠ ଘରକୁ-ଘର ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଦଳ – ଲୋଡର୍ ମଣିକର ଗଣ୍ଡା, ଶ୍ରେଷ୍ଠ ଟ୍ରାକ୍ଟର ଭିତ୍ତିକ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଗାଡ଼ି ଦଳ – ଡ୍ରାଇଭର ରାଜାରାମ ବର୍ମା, ଶ୍ରେଷ୍ଠ ଟ୍ରାକ୍ଟର ଭିତ୍ତିକ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଦଳ – ଲୋଡର୍ ସାଗର ମୁଖୀ, ବନ୍ୟା ତଥା ଜରୁରୀକାଳୀନ ପରିସ୍ଥିତିରେ ଶ୍ରେଷ୍ଠ କର୍ମଚାରୀ ସଞ୍ଜୟ ହାତୀ ଓ ସନାମୁଳା ଅନସାରୀଙ୍କୁ ଉତ୍ସର୍ଗୀକୃତ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାପାଳ ତଥା ପୌର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖତ୍ରୀ, ପୂର୍ବତନ ବିଧାୟକ ନାଉରୀ ନାୟକ, ପୂର୍ବତନ ନଗରପାଳ ଓ କାଉନସିଲରବୃନ୍ଦ ଏବଂ ଅଧିକାରୀମାନେ ଉପସ୍ଥିତ ରହି ଭୁବନେଶ୍ବର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।

