ରାଉରକେଲା ୧/୯,(ଉତ୍କଳ ସମାଚାର) ଜାତୀୟ ରାଜପଥ (ଏନ୍ଏଚ୍ଏଆଇ)ରୁ ଟେଣ୍ଡର ପ୍ରାପ୍ତ ଓ୍ବେଷ୍ଟ୍ ଓ୍ବେଲ୍ କମ୍ପାନୀ ଅଧିନରେ ଦୀର୍ଘ ୨ ବର୍ଷ କାର୍ଯ୍ୟ କରିଥିବା ଯୁବକ ଯୁବତୀଙ୍କୁ କମ୍ପାନୀ ପକ୍ଷରୁ ବୋନସ୍, ଛୁଟି ଓ ଛଟେଇ ପ୍ରାପ୍ଯ ନ ଦେଇଥିବାରୁ, ସୁନ୍ଦରଗଡ ମାଇନ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ୟୁନିୟନ ପକ୍ଷରୁ ରାଉରକେଲା ଶ୍ରମ ଆୟୁକ୍ତ (RLC)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବି ପୂରଣ ପର୍ଯ୍ୟନ୍ତ ଧାରଣାରତ ରହିବେ ବୋଲି ଜଣାଇଛନ୍ତି। ସୂଚନା ଅନୁସାରେ ଜାତୀୟ ରାଜପଥ-୧୪୩ର ଦର୍ଜିଂ ଟୋଲ୍ ପ୍ଲାଜାରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀମାନେ ଏନ୍ଏଚ୍ଏଆଇରୁ ଟେଣ୍ଡର ପ୍ରାପ୍ତ ଓ୍ବେଷ୍ଟ ଓ୍ବେଲ୍ କମ୍ପାନୀ ଅଧିନରେ ଟୋଲ୍ ପ୍ଲାଜାର କର୍ମଚାରୀ ଭାବେ ୨୦୨୪ ମେ ୬ ତାରିଖ ଠାରୁ ୨୦୨୬ ମେ ୨୬ ତାରିଖ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି କାର୍ଯ୍ୟ କରିଥିଲେ ମଧ୍ଯ ଓ୍ବେଷ୍ଟ୍ ଓ୍ବେଲ୍ ସେମାନଙ୍କୁ ସେମାନଙ୍କ ବୋନସ୍, ଛୁଟି ଓ ଛଟେଇ ପ୍ରାପ୍ଯ ନଦେଇ ଟେଣ୍ଡର ଅବଧି ଶେଷ ହେବା ପରେ, ଛାଡି ଚାଲି ଯାଇଥିବାରୁ କର୍ମଚାରୀମାନେ ଅତିଷ୍ଠ ହୋଇ ସିଆଇଟିୟୁ ପ୍ରତିବନ୍ଧିତ ସୁନ୍ଦରଗଡ ମାଇନ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ୟୁନିୟନ ପକ୍ଷରୁ ଆରଏଲସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବି ପୂରଣ ଧାରଣାରେ ରହିବେ ବୋଲି ଦାବି କରାଯାଇଛି। ସୁନ୍ଦରଗଡ ମାଇନ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ୟୁନିୟନ ପକ୍ଷରୁ ଦାବି କରାଯାଇଛି ଯେ, ଏନ୍ଏଚ୍ଏଆଇରୁ ଟେଣ୍ଡର ପ୍ରାପ୍ତ ଓ୍ବେଷ୍ଟ ଓ୍ବେଲ୍ କମ୍ପାନୀର ଟେଣ୍ଡର ଅବଧି ଶେଷ ପୂର୍ବରୁ କର୍ମଚାରୀମାନେ ୧୭-୪-୨୦୨୬ ତାରିଖରେ ଆରଏଲସି, ରାଉରକେଲା ଏବଂ ପ୍ରଡକ୍ଟ ମେନେଜର ଏନ୍ଏଚ୍ଏଆଇ, ରାଉରକେଲାଙ୍କୁ ଅବଗତ କରାଇଥିଲେ। କିନ୍ତୁ ଏଥିରେ କୌଣସି ସୁଫଳ ମିଳିଲା ନାହିଁ ବୋଲି ସୁନ୍ଦରଗଡ଼ ମାଇନ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ୟୁନିୟନ ପକ୍ଷରୁ ଅଭିଯୋଗ କରାଯାଇଛି। ୟୁନିୟନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆରଏଲସି ରାଉରକେଲା ଏବଂ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ସହ ଓ୍ବେଷ୍ଟ୍ ଓ୍ବେଲ୍ କମ୍ପାନୀର ଭିତିରି ବୁଝାମଣା ରହିଛି। ସୁନ୍ଦରଗଡ଼ ମାଇନ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ୟୁନିୟନ ପକ୍ଷରୁ ଦାବି କରାଯାଇଛି ଯେ, ୩୧-୮-୨୦୨୬ ତାରିଖ ଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ କିମ୍ବା କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ସେମାନେ ଆରଏଲସି ରାଉରକେଲାଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣାରେ ବସି ରହିବେ।

