ରାଉରକେଲା:5//9,(ଉତ୍କଳ ସମାଚାର) ଜନ୍ମାଷ୍ଟମୀ, ଶ୍ରୀ କୃଷ୍ଣଙ୍କ ଜନ୍ମତ୍ସୋବ। ଇସ୍କନ୍ ପକ୍ଷରୁ ତ୍ରିଶକ୍ତି ଧାମରେ ଆଜିଠାରୁ ଆରମ୍ଭ ହୋଇଛି ଜନ୍ମାଷ୍ଟମୀ ଉତ୍ସବ। ଏହି ଅବସରରେ ଇସ୍କନର ଭକ୍ତମାନଙ୍କ ପକ୍ଷରୁ ତିନି ଦିନ ଧରି ଆନ୍ତଃସ୍କୁଲ କୃଷ୍ଣ ପ୍ରତିଯୋଗିତା ଆୟୋଜନ କରାଯାଉଛି। ପ୍ରତିଯୋଗିତାରେ ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହିତ ଶ୍ଳୋକ ଜପ, ଚିତ୍ରାଙ୍କନ ପ୍ରତିଯୋଗିତା, ରଙ୍ଗୀନ କରିବା, ଏକକ ନୃତ୍ୟ, ଗୋଷ୍ଠୀ-ନୃତ୍ୟ, ଫ୍ୟାନ୍ସି ଡ୍ରେସ୍, ଲିଖିତ କୁଇଜ୍ ଏବଂ ଶ୍ଳୋକ ଲେଖା, ପ୍ରବନ୍ଧ ଲିଖନ, ବିତର୍କ ପ୍ରତିଯୋଗିତା ଇତ୍ୟାଦିରେ ଅଂଶଗ୍ରହଣ କରିଛନ୍ତି। ଇସ୍କନ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ତ୍ରିଶକ୍ତି ଧାମରେ ଧୂମଧାମର ସହିତ ପାଳିତ ହେଉଛି । ଇସ୍କନ ପକ୍ଷରୁ ହନୁମାନ ବାଟିକା ସ୍ଥିତ ତ୍ରିଶକ୍ତି ଧାମ ପରିସରରେ ଜନ୍ମାଷ୍ଟମୀ ଉତ୍ସବର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୋର୍ ସାଢ଼େ ୪ଟାରେ ମଙ୍ଗଳ ଆରତୀ ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମଙ୍ଗଳ ଆରତୀ ପରେ ଦର୍ଶନ ଆଳତୀ ଓ ହରିନାମ ସଂକୀର୍ତ୍ତନର ଆୟୋଜନ କରାଯାଇଥିଲା। ପରେ ପରେ ସହରର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଚିତ୍ରାଙ୍କନ, ନୃତ୍ୟ, କୌତୁକ ବେଶ, ରଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏସବୁ ପ୍ରତିଯୋଗିତାରେ ଶହ ଶହ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସକାଳ ୮ଟାରୁ ପ୍ରତିଯୋଗିତା ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ପୂର୍ବାହ୍ନରେ ଯଜ୍ଞ ଆୟୋଜିତ ହୋଇଥିଲା। ଯଜ୍ଞରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସନ୍ଧ୍ୟାରେ ତୁଳସୀ ପୂଜନ ଓ ଆଳତୀର ଆୟୋଜନ କରାଯାଇଥିଲା। ଆଜିର ପ୍ରଥମ ଦିନ ସନ୍ଧ୍ୟାରେ ଅତିଥି ଭାବେ ମଞ୍ଚରେ ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଡିଏଫ୍ଓ ରାବକାନ୍ତ ମୀନା, ସିଟି ଆଣ୍ଡ ଜିଏସ୍ଟି ଅତିରିକ୍ତ କମିଶନର ପ୍ରକାଶ ଚନ୍ଦ୍ର ଦୋରା, ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ଯାଙ୍କ୍ ସଭାପତି ଦିଲୀପ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ମଧ୍ୟରାତ୍ରିରେ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅଭିଷେକ ଉତ୍ସବ ଆୟୋଜିତ ହୋଇଛି। ୧୦୮ ସୁବାଷିତ ଜଳ, ଫଳ ରସ, ଫୁଲ ଓ ଫଳରେ ମହାପ୍ରଭୁଙ୍କୁ ଅଭିଷେକ କରାଯାଇଥିଲା । ରାଉରକେଲା ଇସ୍କନର ସାଧାରଣ ପରିଚାଳକ ପ୍ରେମମାଧବ ଦାସଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଭ୍ୟସଭ୍ୟା ପରିଚାଳନା କରିଥିଲେ ।

