ରାଉରକେଲା ୫/୯,(ଉତ୍କଳ ସମାଚାର) ଗୁରୁବ୍ରହ୍ମା, ଗୁରୁବିଷ୍ଣୁ, ଗୁରୁଦେବ ମହେଶ୍ବର, ଗୁରୁ ସାକ୍ଷାତ୍ ପରବ୍ରହ୍ମ ତସମୈଶ୍ରୀ ଶ୍ରୀ ଗୁରଵେ ନମୋଃ ଶ୍ଳୋକକୁ ଆଧାର କରି ସମଗ୍ର ଭାରତ ବର୍ଷରେ ଆଜି ଦେଶର ପ୍ରାକ୍ତନ ରାଷ୍ଟ୍ରପତି ତଥା ଦାର୍ଶନିକ ଓ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜୟନ୍ତୀକୁ ଗୁରୁଦିବସ ଭାବେ ପାଳନ କରାଯାଉଥିବା ବେଳେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ପକ୍ଷରୁ ରାଉରକେଲା ଭଞ୍ଜ ଭବନ ପ୍ରେକ୍ଷାଳୟରେ ଆୟୋଜିତ କରାଯାଇଥିଲା ପୂଜ୍ୟପୂଜା ଉତ୍ସବ।ଗୁରୁଦିବସ ଅବସରରେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ମୁରଲୀଧର ବେହେରା, ମୁଖ୍ୟ ବକ୍ତା ଭାବରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁ, ସମ୍ମାନୀୟ ଅତିଥି ଭାବେ ରାଉରକେଲା ମ୍ଯୁନିସପାଲ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନ, ରାଉରକେଲା ଏନ୍ଆଇଟି ପଦାର୍ଥ ବିଜ୍ଞାନର ଅଧ୍ୟାପକ ଦିଲ୍ଲୀପ ପ୍ରଧାନ, ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ସୁପ୍ରଭାତ ବେହେରା, ସମାଜସେବୀ ଲତିକା ପଟ୍ଟନାୟକ ଯୋଗଦେଇଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ ସଞ୍ଜୟ ପଣ୍ଡା ଏବଂ ମଞ୍ଚ ସଞ୍ଚାଳନ କରିଥିଲେ ସୁନୀତା ମହାପାତ୍ର।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଓ ବେଚ୍ ଲଗାଯିବା ପରେ ଆୟୋଜକ ବିଧାୟକ ଦୁର୍ଗା ଚରଣ ତନ୍ତୀ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଞ୍ଚରୁ ପ୍ରଣାମ ଜଣାଇ ପୂଜ୍ୟପୂଜା କାର୍ଯ୍ୟକ୍ରମର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେମାନେ ତାଙ୍କ ବକ୍ତବ୍ୟରେ ରାଷ୍ଟ୍ର ନିର୍ମାଣ ଓ ଦେଶ ନିର୍ମାଣରେ ଭୂମିକା ନିର୍ବାହ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କୁ “ର ମେଟେରିଆଲ” (Raw Material) ସହ ତୁଳନା କରିବା ସହିତ ଶିକ୍ଷକ, ଦାର୍ଶନିକ, ଗୁରୁ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଆମେ ଆଜି ଗୁରୁ ଦିବସ ଭାବେ ପାଳନ କରୁଛୁଁ ବୋଲି ଅବିହିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଏମଶ୍ରୀ ବିଦ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟରେ ୪୪୪ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ପରିଣତ କରାଯିବାକୁ ମନେପକାଇ ଦେବା ସହ ସମସ୍ତଙ୍କୁ ଗୁରୁ ଦିବସ ଅବସରରେ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ । ମୁଖ୍ଯ ବକ୍ତା ଦୁର୍ଗା ପ୍ରସାଦ ସାହୁ ତାଙ୍କ ବକ୍ତବ୍ୟରେ ଦେଶର ଭବିଷ୍ୟତ ଯୁବ ପିଢ଼ିଙ୍କୁ ବର୍ଣ୍ଣନା କରିବା ସହ ଶିକ୍ଷକ ହେଉଛନ୍ତି ଜ୍ଞାନର ବାହକ ବୋଲି କହିଥିଲେ। ସେହିପରି ଶିକ୍ଷକ ସଂସ୍କାର ଓ ଦିଗଦର୍ଶନ ଦେବା ସହିତ ନୂଆ ଜିନିଷକୁ ତିଆରି କରିବାର କାର୍ଯ୍ୟ କରିଥାନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ମୋଟ ଉପରେ ବ୍ଯକ୍ତି ଉତ୍ତମ ହେଲେ ସମାଜ ଉତ୍ତମ ହେବ ଅର୍ଥାତ ଶିକ୍ଷକ (ଆଚାର୍ଯ୍ୟ) ଠିକ୍ ହେଲେ ଛାତ୍ର ଏବଂ ଯୁବ ସମାଜ ଠିକ୍ ହେବ। ଗୁରୁର କାମ ହେଲା ସମାଜକୁ ରାସ୍ତା ଦେଖାଇବା ବୋଲି ମୁଖ୍ୟ ବକ୍ତା ଦୁର୍ଗା ପ୍ରସାଦ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ। ସମ୍ମାନୀୟ ଅତିଥି ଏନ୍ଆଇଟି ପଦାର୍ଥ ବିଜ୍ଞାନ ଅଧ୍ୟାପକ ତାଙ୍କ ବକ୍ତବ୍ୟରେ ଗୁରୁ ଶିଷ୍ୟ ସମ୍ପର୍କରେ କହିବାକୁ ଯାଇ ମହାପୁରୁଷଙ୍କ ସମେତ ଗୁରୁ ଦ୍ରୋଣ, ପର୍ଶୁରାମଙ୍କ ଅବତାରଣା କରିଥିଲେ। ଗୁରୁଦିବସ ଅବସରରେ ପୂଜ୍ୟପୂଜା ଉତ୍ସବର ଆୟୋଜକ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଜେପିର ପୂର୍ବତନ ସଭାନେତ୍ରୀ ଓ ସମାଜସେବୀ ଶ୍ରୀମତୀ ଲତିକା ପଟ୍ଟନାୟକ।

