ରାଉରକେଲା ୬/୯,(ଉତ୍କଳ ସମାଚାର) ଶୋଭନୀୟ ଶିକ୍ଷାଶ୍ରମ ଓ ଆନ୍ତର୍ଜାତୀୟ ଅଶୋଭନୀୟତା ଆନ୍ଦୋଳନ ରାଉରକେଲା ଶାଖାର ସମ୍ପାଦକ ତଥା କୁମାରଭାଇଙ୍କ ପଟ୍ଟଶିଷ୍ୟ ନିରଞ୍ଜନଭାଇଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାଶ୍ରମ ପୂର୍ବତନ ଅବିଭାବକ ଯଯାତି ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ଯ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବରେ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ତଥା ସମାଜସେବୀ ଓ ଆଧ୍ଯାତ୍ମବାଦୀ ମହେନ୍ଦ୍ର କୁମାର ପଟ୍ଟନାୟକ, ସମ୍ମାନୀୟ ଅତିଥି ଭାବେ ରାଉରକେଲା ଶିକ୍ଷା ଜିଲ୍ଲାର ଡିଆଇ ଶ୍ରୀମତୀ ମଞ୍ଜୁଳା କୁମାରୀ ରଥ, ସମାଜସେବୀ ତଥା ଲେଖିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ସୃଜନୀ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ର ବେହୁରିଆ, ବିଦ୍ୟା ଷ୍ଟଡି ପଏଣ୍ଟର ନିର୍ଦ୍ଦେଶକ ତଥା ସମାଜ ଖବରକାଗଜର ପ୍ରତିନିଧି ସରୋଜ କୁମାର ବେହେରା ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତ ଅତିଥିମାନେ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା କୁମାରଭାଇ ଏବଂ ନିରଞ୍ଜନଭାଇଙ୍କ ଫଟୋଚିତ୍ରରେ ଫୁଲ ଚନ୍ଦନ ଅର୍ପଣ କରି ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗଦେଇଥିଲେ। ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ସ୍ବାଗତ ଭାଷଣ ତଥା ସର୍ବଧର୍ମ ସମନ୍ଵୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷାଶ୍ରମର ଶାଖା ସମ୍ପାଦିକା ଶ୍ରୀମତୀ ଚାରୁଲତା ଦେବୀ ନିରଞ୍ଜନଭାଇଙ୍କ ତ୍ୟାଗ, ତିତିକ୍ଷା ଓ କର୍ମର ସ୍ମୃତିଚାରଣ କରିଥିଲେ।ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ଯରେ ଶିକ୍ଷାଶ୍ରମର ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନର ଗୌରବ ଡାକ୍ତର ଉମାଶଙ୍କର ମଲ୍ଲିକଙ୍କୁ କୁମାରଭାଇଙ୍କ ନୀତିବାଣୀ ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଗୁରୁମାନଙ୍କ ତ୍ଯାଗ ଓ କର୍ମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆହୁରି ଉନ୍ନତି କରିବାର ଆଶା ରଖି ନିରଞ୍ଜନଭାଇଙ୍କ ଆତ୍ମାର ସଦଗତି କାମନା କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ପଟ୍ଟନାୟକ ଗୀତାର ଶ୍ଳୋକ ଆବୃତି କରି ନିରଞ୍ଜନ ଭାଇଙ୍କ ଅତୀତର ସ୍ମୃତିଚାରଣ କରି କର୍ମକର୍ତ୍ତାମାନଙ୍କୁ କାର୍ଯ୍ୟକୁ ଆଗକୁ ନେବା ପାଇଁ ପ୍ରେରଣା ଦେଇଥିଲେ। ଅନ୍ୟାନ୍ୟ ଅତିଥିମାନେ ନୀରଭାଇଙ୍କ ଉପରେ କହିବା ସହିତ ଅନୁଷ୍ଠାନର ମଙ୍ଗଲକାମନା କରିଥିଲେ। ସଭାପତି ତାଙ୍କ ବକ୍ତବ୍ୟରେ ଅନୁଷ୍ଠାନର ଉନ୍ନତି ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ।ସକାଳ ୭ଟାରେ ଫର୍ଟିଲାଇଜରର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ନୀରଭାଇଙ୍କ ଆତ୍ମାର ସଦଗତି ପାଇଁ ନାମ ସଂକୀର୍ତ୍ତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ, ଅବିଭାବକ ଯୋଗଦେଇଥିଲେ। ଶିକ୍ଷାଶ୍ରମର ଆବାସିକ ଡାକ୍ତର କଳ୍ପଲତା ଦେବୀ ନିରଞ୍ଜନଭାଇଙ୍କ ଉଦ୍ଦେଶ୍ଯରେ ଏକ ସ୍ବରଚିତ କବିତା ଆବୃତି କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାର ସଫଳତା ପାଇଁ ନିରଭାଇଙ୍କ ସହଧର୍ମିଣୀ କାନ୍ତୀଲତା ଦେବୀ, ସଭ୍ୟ ଚିତ୍ତରଞ୍ଜନ, ନନ୍ଦକିଶୋର ଶୁଭେନ୍ଦୁ, ଏବଂ ଗୁରୁମାମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

