ସମ୍ବଲପୁର,୦୯/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ସାହିତ୍ୟ ସଂସଦ ପକ୍ଷରୁ ପାଳିତ ହୋଇ ଯାଇଛି । ଅଧ୍ୟକ୍ଷା ପ୍ରଫେସର କଳ୍ପନା ମେହେରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଆଲୋଚକ ଭାବରେ ଗଙ୍ଗାଧର ସାହିତ୍ୟର ବିଦଗ୍ଧ ପ୍ରଚାରକ ତଥା କବି ସୁରେଶ ପ୍ରଧାନ ଯୋଗଦାନ କରିଥିଲେ । ଅଧ୍ୟକ୍ଷା ପ୍ରଫେସର ମେହେର ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ଗଂଗାଧର କବି ପ୍ରତିଭାର ଜାତୀୟ ସ୍ତରରେ ଉଚିତ୍ ମୂଲ୍ୟାୟନ ଆବଶ୍ୟକ ବୋଲି ମତପୋଷଣ କରିଥିଲେ । ମୁଖ୍ୟ ଆଲୋଚକ ଶ୍ରୀ ପ୍ରଧାନ ଗଙ୍ଗାଧର କାବ୍ୟଧାରାର ବହୁମୁଖୀ ଦିଗ ଉପରେ ଆଲୋଚନା କରିଥିଲେ । ଗଙ୍ଗାଧର ମେହେରଙ୍କ କାବ୍ୟ କବିତା ପାଠକଙ୍କ ମଧ୍ୟରେ ଦେଶପ୍ରେମ, ମାନବିକ ମୂଲ୍ୟବୋଧ, ସହୃଦୟତା ଆଦି ସଦ୍ଗୁଣ ଭରି ଦେବାରେ ସମର୍ଥ ବୋଲି ଆଲୋଚକ ମତ ପ୍ରଦାନ କରିଥିଲେ । ସାହିତ୍ୟ ସଂସଦର ଉପସଭାପତି ପ୍ରଫେସର ଅଖିଳ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ରାଜକିରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଜୟନ୍ତୀ ପାଳନ ଅବସରରେ କବି ଗଙ୍ଗାଧରଙ୍କୁ ଆଧାର କରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଫେସର ରମେଶ ଚନ୍ଦ୍ର ମିର୍ଦ୍ଧା ପୁରସ୍କାର ବିତରଣ ଉତ୍ସବରେ ପରିଚାଳନା କରିଥିଲେ । ଛାତ୍ରୀମାନେ ଗଙ୍ଗାଧର ସଂଗୀତ ପରିବେଷଣ କରିଥିଲେ । ପ୍ରାଶାସନିକ ଅଧିକାରୀ ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉତ୍ସବ ପରିଚାଳନାରେ ପ୍ରଫେସର ଭୋଜରାଜ ରୋହିଦାସ, ପ୍ରଜ୍ଞାପିତା ଦାସ, ଆର୍ତ୍ତତ୍ରାଣ ସୁନା, ରବୀନ୍ଦ୍ର ପାଣିଗ୍ରାହୀ, ସୁଶାନ୍ତ କୁମାର ପଣ୍ଡା, ପ୍ରଶାନ୍ତ ପ୍ରଧାନ, ସଂଜୟ ପ୍ରସାଦ ପଟ୍ଟନାୟକ, ସୁରେଖା ଛତ୍ରିଆ, ରଂଜିତା ମାଝୀ ପ୍ରମୁଖ ସହାୟତା କରିଥିଲେ । ଏହି ଅବସରରେ ଛାତ୍ରୀମାନେ ଗଙ୍ଗାଧର ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ ଓ ସମ୍ବଲପୁର ବିଇଡି କଲେଜର ପ୍ରାକ୍ତନ ଅଧ୍ୟକ୍ଷା ନିରୂପମା ବଡ଼ପଣ୍ଡା ଉପସ୍ଥିତ ଥିଲେ।

