ରାଉରକେଲା ୧୮/୯,(ଉତ୍କଳ ସମାଚାର) ସହରର ସିଭିଲ ଟାଉନସିପ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ଓ ବର୍ଷା ଯୋଗୁଁ ବିଶାଳ ଗଣେଶ ପୂଜା ପେଣ୍ଡାଲ ଅଧାରୁ ଭାଙ୍ଗି ଯାଇଛି। ପ୍ରାୟ ଦେଢ଼ଶହ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ପେଣ୍ଡାଲଟି ଭୁଶୁଡ଼ି ପଡ଼ିବା ପରେ ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଯାଇଛି।ଗୁରୁବାର ଦିନ ପ୍ରବଳ ପବନ ଯୋଗୁଁ ପେଣ୍ଡାଲଟି ଭାଙ୍ଗିଥିବା କୁହାଯାଉଥିଲେ ମଧ୍ୟ, ଏହାର ନିର୍ମାଣ ଓ ଅନୁମତିକୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ବିଶେଷକରି ଜନବସତି ଓ ଯାତାୟାତ ଅଞ୍ଚଳ ମଧ୍ୟରେ ଏକ ପାର୍କ ମଧ୍ୟରେ ଏତେ ଅଧିକ ଉଚ୍ଚତାର ପେଣ୍ଡାଲ ନିର୍ମାଣ ହୋଇଥିଲା ଏବଂ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇଥିଲା କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।କେବଳ ପୂଜା ଆୟୋଜନ ନୁହେଁ, ଏଭଳି ବିଶାଳ ଅସ୍ଥାୟୀ ନିର୍ମାଣ ପାଇଁ ପେଣ୍ଡାଲର ଢାଞ୍ଚା କେତେ ମଜବୁତ, ପବନର ବେଗକୁ ସହିବା ପାଇଁ କିଭଳି ବ୍ୟବସ୍ଥା କରାଯାଇଥିଲା ଓ କେଉଁ ଶ୍ରେଣୀର ସାମଗ୍ରୀ ବ୍ୟବହାର କରାଯାଇଥିଲା ଏବଂ ଆପତ୍କାଳୀନ ସମୟରେ ଲୋକଙ୍କ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ରହିଥିଲା, ଏସବୁ ଦିଗରେ ଯାଞ୍ଚ ହୋଇଥିଲା କି ନାହିଁ, ତାହା ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସବୁଠାରୁ ବଡ଼ କଥା ହେଲା, ପେଣ୍ଡାଲଟି ଭାଙ୍ଗି ପଡ଼ିବା ସମୟରେ ନିକଟରେ କୌଣସି ଲୋକ ନଥିଲେ କିମ୍ବା ଏହା ନିକଟସ୍ଥ ଘର, ଯାତାୟତ କରୁଥିବା ଲୋକଙ୍କ ଉପରେ ପଡ଼ି ନଥିଲା। କିନ୍ତୁ ନିକଟସ୍ଥ ଘରକୁ ସଂଯୋଗ କରୁଥିବା ବିଦ୍ୟୁତ ସର୍ଭିସ ତାର ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଥିଲା।ଏବେ ପ୍ରଶ୍ନ ଉଠୁଛି—ଏଭଳି ବିଶାଳ ପେଣ୍ଡାଲ ପାଇଁ ଅନୁମତି ଦେବା ସମୟରେ ସୁରକ୍ଷା ଦିଗକୁ କେତେ ଗୁରୁତ୍ୱ ଦିଆଯାଇଥିଲା ! କିଏ ଏହାର ଅନୁମତି ଦେଇଥିଲେ ! ପେଣ୍ଡାଲର ଢାଞ୍ଚା ଓ ସ୍ଥାନର ସୁରକ୍ଷା ଯାଞ୍ଚ କରାଯାଇଥିଲା କି ନାହିଁ ! ଏହି ଘଟଣା ପରେ ଏସବୁ ପ୍ରଶ୍ନର ଉତ୍ତର ସାଧାରଣ ଲୋକଙ୍କ ସାମ୍ନାକୁ ଆସିଛି ! ଭବିଷ୍ୟତରେ ଏଭଳି ବିଶାଳ ପେଣ୍ଡାଲ ନିର୍ମାଣ ସମୟରେ ନିରାପତ୍ତା ମାନଦଣ୍ଡକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହିତ ସମ୍ପୃକ୍ତ କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ ଯାଞ୍ଚ କରାଯିବାକୁ ଦାବି କରାଯାଇଛି ।

