ରାଉରକେଲା:18//9,(ଉତ୍କଳ ସମାଚାର)ସୁନ୍ଦରଗଡ଼ ଜିଲ୍ଲା ସମେତ ରାଉରକେଲା ଇସ୍ପାତ ଅଞ୍ଚଳ, ଆଇଡିସି କାଲୁଙ୍ଗା ଇଣ୍ଡଷ୍ଟ୍ରିଆଲ୍ ଏରିଆ, ସ୍ପଞ୍ଜ ଆଇରନ୍, ରୋଲିଂ ମିଲ୍, ଇଣ୍ଡକ୍ସନ୍ ଫର୍ନେସ୍ ଏବଂ ଗ୍ୟାରେଜଗୁଡ଼ିକରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅର୍ଚ୍ଚନା ସହ ପ୍ରସାଦ ସେବନର ଭବ୍ୟ ଆୟୋଜନ କରାଯାଇଥିଲା। ଖାସକରି ରାଉରକେଲା ସହର ସମେତ କାଲୁଙ୍ଗା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଥିବା କଳକାରଖାନାଗୁଡ଼ିକରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା ବହୁତ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି।ଏହି କ୍ରମରେ, ଆଇଡିସି ଇଣ୍ଡଷ୍ଟ୍ରିଆଲ୍ ଏରିଆସ୍ଥିତ ‘ବର୍ବରୀକ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍’ କାରଖାନାରେ ବିଶ୍ୱକର୍ମା ପୂଜା ଉପଲକ୍ଷେ ସକାଳ ୧୦:୩୦ ରୁ ପୂଜା ଅର୍ଚ୍ଚନା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପୂଜା ଓ ହୋମ-ଯଜ୍ଞ କରାଯାଇଥିଲା। ପୁରୋହିତ ବିଧିବିଧାନ ଅନୁସାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଆକାଶ ଅଗ୍ରୱାଲ କର୍ତ୍ତା (ଜଜମାନ) ଭାବେ ପୂଜାରେ ବସିଥିଲେ। ଏହି ଅବସରରେ କାରଖାନାର ସମସ୍ତ କର୍ମଚାରୀ ପୂଜାରେ ସାମିଲ ହୋଇଥିଲେ। ଆରତୀ ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ସେହିପରି ଅନ୍ୟାନ୍ୟ କଳକାରଖାନାଗୁଡ଼ିକରେ ମଧ୍ୟ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା। ଅପରପକ୍ଷରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ, ଆର୍ଏଣ୍ଡ୍ବି (R&B) କାର୍ଯ୍ୟାଳୟ, ପିଏଚ୍ଡି (PHD) ଓ ଅନ୍ୟାନ୍ୟ ସରକାରୀ-ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅର୍ଚ୍ଚନା ପରେ ପ୍ରସାଦ ବଣ୍ଟନ କରାଯାଇଥିଲା। ରାଉରକେଲା ସହରର ବିଭିନ୍ନ ଗ୍ୟାରେଜ୍ ଏବଂ କଳକାରଖାନାରେ ମଧ୍ୟ ନିଷ୍ଠାର ସହ ପୂଜାର୍ଚ୍ଚନା ହୋଇଯାଇଛି।ବିଶ୍ୱକର୍ମା ପୂଜାକୁ ନେଇ ପୂରା ରାଉରକେଲା ଇସ୍ପାତ ସହର ଭଗବାନ ବିଶ୍ୱକର୍ମାଙ୍କ ଜୟଗୋଷରେ କମ୍ପିଉଠିଥିଲା। ବହୁ କଳକାରଖାନାରେ ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିସହିତ ଶୁକ୍ରବାର ଦିନ ଅନେକ ସ୍ଥାନରେ ଭଗବାନ ବିଶ୍ୱକର୍ମାଙ୍କ ମୂର୍ତ୍ତି ବିସର୍ଜନ କରାଯାଇଛି।

