ରାଉରକେଲା:୧୯/୯,(ଉତ୍କଳ ସମାଚାର) ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜାର ସୁପରିଚାଳନା ନିମନ୍ତେ ଗଠିତ ରାଉରକେଲା କେନ୍ଦ୍ରୀୟ ପୂଜା କମିଟି (ସିପିସି)ର ୨୦୨୬-୨୭ ବର୍ଷ ପାଇଁ ସାଧାରଣ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ପଦବୀର ନିର୍ବାଚନ ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେବ ବୋଲି ଆଜି ଉଦିତନଗର ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରଭାରୀ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ପୂଜା କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଉରକେଲା କେନ୍ଦ୍ରୀୟ ପୂଜା କମିଟିକୁ ତିନୋଟି ଜୋନ୍ ଯଥା, ସିଭିଲ୍ ଟାଉନଶିପ୍ ଜୋନ୍, ଷ୍ଟିଲ୍ ଟାଉନଶିପ୍ ଜୋନ୍ ଓ ଫର୍ଟିଲାଇଜର ଟାଉନଶିପ୍ ଜୋନରେ ବିଭକ୍ତ କରାଯାଇଛି। ଏହି ତିନୋଟି ଜୋନ୍ ପାଇଁ ମଧ୍ୟ ଅକ୍ଟୋବର ୪ ତାରିଖ ଦିନ ଉପସଭାପତି, ଯୁଗ୍ମ ସଚିବ ଏବଂ ଦୁଇଜଣ କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହେବେ।ନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛୁକ ବ୍ୟକ୍ତିମାନେ ସେପ୍ଟେମ୍ବର ୨୫ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିପାରିବେ। ନାମାଙ୍କନପତ୍ର ଦାଖଲ ପରେ ପରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ସେପ୍ଟେମ୍ବର ୨୮ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ସେହି ଦିନ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ରାଉରକେଲାର ପ୍ରତ୍ୟେକ ପୂଜା କମିଟିର ସଭାପତି କିମ୍ବା ଧାରଣ ସମ୍ପାଦକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯୋଗ୍ୟ ହେବେ। ସେହିପରି ପ୍ରତ୍ୟେକ ପୂଜା କମିଟିର ସଭାପତି କିମ୍ବା ସମ୍ପାଦକ ନିର୍ବାଚନରେ ମତଦାନ କରିପାରିବେ। ଅକ୍ଟୋବର ୪ ତାରିଖ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିଏ ଆଇଟିଡିଏ ସମ୍ମିଳନୀ କକ୍ଷରେ ମତଦାନ ହେବ। ଅପରାହ୍ନ ୪ଟାରେ ଭୋଟ ଗଣତି ଏବଂ ସନ୍ଧ୍ୟା ୬ଟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଡେପୁଟି କଲେକ୍ଟର ପ୍ରାରବ୍ଧା ବଡ଼ପଣ୍ଡା, ଡେପୁଟି କଲେକ୍ଟର ମଧୁସ୍ମିତା କିଷାନ, ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲ, ଡିଏସ୍ପି ଡି ଆଇ ବି ରାମରାୟ ମୁର୍ମୁ ଏବଂ ରାଉରକେଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

