ରାଉରକେଲା:20//9,(ଉତ୍କଳ ସମାଚାର) ସହରର ବିଭିନ୍ନ ଗଣେଶ ପୂଜା କମିଟି ପକ୍ଷରୁ ଆଜି ରବିବାର ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଢୋଲ-ମହୁରୀ ଓ ବାଜା ରୋଷଣି ସହ ବିସର୍ଜନ ଶୋଭାଯାତ୍ରା ବାହାର କରାଯାଇଥିଲା। ଏହାକୁ ନେଇ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବିସ୍ରା ଛକରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ବିଭିନ୍ନ ପୂଜା କମିଟି ପକ୍ଷରୁ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା କରାଯାଇଥିଲା।ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଅନ୍ୟପଟେ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ବେକରେ ସ୍ୱେଚ୍ଛାସେବୀ (Volunteers) କାର୍ଡ ପିନ୍ଧି ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା।ଏହି କ୍ରମରେ ବିସ୍ରା ଛକ ନବଯୁବକ ସାଂସ୍କୃତିକ ସମିତି ପୂଜା କମିଟି ପକ୍ଷରୁ ବିସର୍ଜନ ଶୋଭାଯାତ୍ରା ବାହାର କରାଯାଇଥିଲା। ପ୍ରଭୁ ଗଣେଶଙ୍କ ବିଶାଳ ମୂର୍ତ୍ତିକୁ ଏକ ବଡ଼ ଟ୍ରକରେ ସୁସଜ୍ଜିତ କରି ବିସର୍ଜନ ଶୋଭାଯାତ୍ରା ବାହାର କରାଯାଇଥିଲା। ଢୋଲ-ବାଜା ସହ କମିଟି ସଦସ୍ୟଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।ସେହିପରି ରାଉରକେଲା ସହରର ବିଭିନ୍ନ ପୂଜା କମିଟି, ଖାସକରି ଡେଲି ମାର୍କେଟ୍ ନବଯୁବକ ଯୁବ ସଂଘ ଗଣେଶ ପୂଜା ସମିତି ଏବଂ ମାରୁ ମହାରାଜ ଲେନ୍ ‘ଶ୍ରୀ ଗଣପତି କୃପା ପୂଜା କମିଟି’ ପକ୍ଷରୁ ମଧ୍ୟ ଢୋଲ-ମହୁରୀ ସହ ବିଶାଳ ବିସର୍ଜନ ଶୋଭାଯାତ୍ରା ବାହାର କରାଯାଇଥିଲା। ଏହାକୁ ନେଇ କମିଟିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। କମିଟିର ସଦସ୍ୟମାନେ ଏକାପରସ୍ପରକୁ ଗୁଲାଲ ଲଗାଇ ଏହି ବିସର୍ଜନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

