ଗ୍ରାମବାସୀଙ୍କ ସହ ଛୋଟ ପିଲାଙ୍କ ଉତ୍ସାହଜନକ ସାମିଲ
ରାଇଘର (ନରସିଂବାଘ ), ୨୧/୦୯:(ଉତ୍କଳ ସମାଚାର) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁରାବେଡା ପଞ୍ଚାୟତ ଅଧୀନସ୍ଥ ‘କଲିଆ ପଦର ଗ୍ରାମ’ (କଲଆପଦର) ରେ ଆଜି ନୁଆଁଖାଇ ପରଦିନ ପାରମ୍ପରିକ ରୀତିନୀତି ଓ ଧାର୍ମିକ ବିଶ୍ୱାସ ଅନୁଯାୟୀ ପ୍ରସିଦ୍ଧ ‘ଗୁରୁଣ୍ଡି ଯାତ୍ରା’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପାରମ୍ପରିକ ଯାତ୍ରାରେ ଗ୍ରାମର ବହୁ ସଂଖ୍ୟକ ଲୋକଙ୍କ ସହ ଛୋଟ ଛୋଟ ପିଲାଛୁଆମାନେ ମଧ୍ୟ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇଥିଲେ।ଗ୍ରାମବାସୀଙ୍କ କହିବାନୁଯାୟୀ, ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା ଏହି ପରମ୍ପରାର ନିଜସ୍ୱ ସ୍ୱତନ୍ତ୍ର ମାନ୍ୟତା ଓ ଆସ୍ଥା ରହିଛି। ଗ୍ରାମରୁ ମଲେରିଆ ଜ୍ୱର, କୁଣ୍ଡିଆ ଭଳି ବହୁ ପ୍ରକାର ସଂକ୍ରାମକ ରୋଗବ୍ୟାଧି ଓ ଅସୁବିଧାରୁ ମୁକ୍ତି ପାଇବା ସହ ସମସ୍ତ ଗ୍ରାମବାସୀଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରି ଏହି ଯାତ୍ରା ପ୍ରତିବର୍ଷ ପାଳନ କରାଯାଏ।ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମବାସୀମାନେ ଗୁରୁଞ୍ଜି/ଗୁରୁଣ୍ଡିଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ମାନ ଜଣାଇବା ସହ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିଲେ। ଯାତ୍ରା ସମୟରେ ସମ୍ପୂର୍ଣ୍ଣ ଗ୍ରାମରେ ଏକ ଆନନ୍ଦମୁଖର, ପବିତ୍ର ଓ ଉତ୍ସବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।ଏହି ପାରମ୍ପରିକ ଲୋକପର୍ବ ଓ ରୀତିନୀତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ବଞ୍ଚାଇ ରଖିବା ସହ ଗ୍ରାମର ସାମୂହିକ ଏକତା, ଭାଇଚାରା ଓ ସାଂସ୍କୃତିକ ପରିଚୟକୁ ମଜବୁତ କରିବାରେ ଏଭଳି ପରମ୍ପରାର ବିଶେଷ ଗୁରୁତ୍ୱ ରହିଛି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

