ସମ୍ବଲପୁର,୨୧/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ମୁଦିପଡ଼ା ଅଞ୍ଚଳ ୱାର୍ଡ ନଂ-୨୨ର ୫୦ରୁ ଉର୍ଦ୍ଧ୍ବ ମହିଳା ନେତ୍ରୀ ଏବଂ କର୍ମୀ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୂଜାରୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଛନ୍ତି।
ବିଜୁ ବାବୁଙ୍କ ଆଦର୍ଶ, ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣମୂଳକ ଶାସନ ଏବଂ ଓଡ଼ିଶାର ସ୍ୱାଭିମାନ ଓ ବିକାଶର ଧାରା ପ୍ରତି ଗଭୀର ଆସ୍ଥା ପ୍ରକାଶ କରି ଏହି ମହିଳାମାନେ ବିଜେଡିରେ ଯୋଗଦେଇଥିବା ପ୍ରକାଶ କରିଛନ୍ତି। ଏହି ଅବସରରେ ଇଂ. ରୋହିତ ପୂଜାରୀ କହିଥିଲେ ଯେ, ବିଜେଡି କେବଳ ଏକ ରାଜନୈତିକ ଦଳ ନୁହେଁ, ଏହା ଓଡ଼ିଶାର ଅଧିକାର, ସ୍ୱାଭିମାନ ଓ ସ୍ୱାର୍ଥ ପାଇଁ ଲଢ଼ୁଥିବା ଏକ ଆଞ୍ଚଳିକ ଶକ୍ତି। ଆଜି ମା’ ଓ ଭଉଣୀମାନେ ବିଜେଡି ସହ ଯୋଡ଼ି ହେବା ଦଳର ନୀତି ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ନିରନ୍ତର ଆସ୍ଥାର ପ୍ରତିଫଳନ ବୋଲି ସେ ଦୋହରାଇଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମକୁ ମୁଦିପଡ଼ାର ଯୁବ ନେତା ତଥା ପୂର୍ବତନ ଯୁବ ଜୋନ୍ ଉପସଭାପତି କିଶୋର କୁମାର ପଣ୍ଡା (ମାନା) ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ସଭାପତି ସଞ୍ଜୁକ୍ତା ମେହେର, ବରିଷ୍ଠ ମହିଳା ନେତ୍ରୀ ସସ୍ମିତା ଦୀପ, ଜିଲ୍ଲା ବିଜେଡି ଉପସଭାପତି ସୁରୁବାବୁ ମେହେର, ଜିଲ୍ଲା ଯୁବ ସଭାପତି ପ୍ରଦୋଷ ମହାନ୍ତି ଏବଂ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ଇଂ. ଅନମୋଲ ଦାଶ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟାମାନଙ୍କୁ ସ୍ୱାଗତ କରିଥିଲେ। ନାରୀନେତ୍ରୀ ତପସ୍ଵିନୀ ବାରିକଙ୍କ ନେତୃତ୍ୱରେ ସସ୍ମିତା ଆଚାରି, ସୁନିତା ଚନ୍ଦନ, କବିତା ସାହୁ, ପିଙ୍କି ଶର୍ମା, ସୀମା ରାୟ, ଦିବ୍ୟଶ୍ରୀ, ସୌଦାମିନୀ ବାଗ, ଲକ୍ଷ୍ମୀ ପ୍ରଧାନଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ମହିଳା ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେଇଛନ୍ତି।

