ସମ୍ବଲପୁର,୨୨/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ତହସିଲ ଅନ୍ତର୍ଗତ ଜାମଟାଲ ଅଞ୍ଚଳରେ ରୟତି ଜମିରେ ହିଣ୍ଡଲକୋ କମ୍ପାନୀ ପକ୍ଷରୁ ବେଆଇନ ଭାବେ ପାଉଁଶ ପକାଯାଉଥିବା ନେଇ ଅଭିଯୋଗ ହୋଇଛି। ସମ୍ବଲପୁର ମହା ନଗର ନିଗମ ଧନକଉଡ଼ା ଅଞ୍ଚଳର ଜଣେ ଜମି ମାଲିକଙ୍କ ଅଭିଯୋଗ ଅନୁଯାୟୀ, ହାତିବାରୀ ମୌଜାର ଖାତା ନମ୍ବର ୧୬୨/୫୧୪ ଅନ୍ତର୍ଗତ ୧ ଏକର ୬୫ ଡେସିମିଲ ରୟତି ଜମିରେ ପ୍ରାୟ ୩୦୦ ଟ୍ରିପ୍ ପାଉଁଶ ପକାଯାଇଛି। ଜମି ମାଲିକଙ୍କ ଅନୁମତି ବିନା ଏଭଳି ଭାବେ ପାଉଁଶ ପକାଯାଇଥିବା ଅଭିଯୋଗ କରି ସେ ଯୁଯୋମୁରା ତହସିଲଦାର ଓ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଚାଷ ଜମିରେ ବିପୁଳ ପରିମାଣର ପାଉଁଶ ପକାଯିବା ଫଳରେ ଜମିର ଉର୍ବରତା ଓ ଚାଷକାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କା ରହିଥିବା ଜମି ମାଲିକ ଅଭିଯୋଗ କରି ପ୍ରଶାସନ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରି ପାଉଁଶ ପକାଯିବାର ଅନୁମତି ଓ ବୈଧତା, ଜମିର କ୍ଷୟକ୍ଷତି ଆଦି ଯାଞ୍ଚ କରାଯିବାକୁ ଦାବି କରିଛନ୍ତି I ଅନ୍ୟପକ୍ଷରେ ଏହି ଗ୍ରାମର ଅନ୍ୟ ଜଣେ ଚାଷୀଙ୍କ ରୟତି ଜମିରେ ମଧ୍ୟ ହିଣ୍ଡଲକୋ ପକ୍ଷରୁ ଏଭଳି ବେଆଇନ ଭାବେ ପାଉଁଶ ପକାଯାଇଥିବା ଅଭିଯୋଗ ଆସିଛି। ଯୁଯୋମୁରା ତହସିଲ ପ୍ରଶାସନର ତଦନ୍ତ ପରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।

