ସମ୍ବଲପୁର,୨୨/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ସହର ଧୁଚୁରାପଡ଼ା ରୁ କଲେକ୍ଟରେଟ୍ ପର୍ଯ୍ୟନ୍ତ ଫ୍ଲାଏଓଭର ତଳେ ବ୍ୟବସାୟ କରୁଥିବା ଉଠା ଦୋକାନୀମାନଙ୍କୁ ରାସ୍ତା ଓ ଫୁଟପାଥରେ ଅବରୋଧ ଦୂର କରିବା ସହିତ ସେମାନଙ୍କ ଜୀବିକା ଜାରି ରଖିବା ପାଇଁ ସାହୁ କଲୋନୀ ଭେଣ୍ଡିଂ ଜୋନ୍, ପିପିଲାନି ଗଳି ପାର୍ଶ୍ୱ, କୁମ୍ଭାରପଡ଼ା ଗଳି ପାର୍ଶ୍ୱ, ସରକାରୀ ବସ୍ଷ୍ଟାଣ୍ଡ ଭେଣ୍ଡିଂ ଅଞ୍ଚଳ, ଚିତ୍ରଗୁପ୍ତ ମନ୍ଦିର ନିକଟସ୍ଥ ରାମସାଗର ବନ୍ଧ ପଛପଟ ଅଞ୍ଚଳ ବିକଳ୍ପ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ସମ୍ବଲପୁର ମହାନଗର ନିଗମ ପ୍ରବର୍ତ୍ତନ ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି I ସମ୍ବଲପୁରବାସୀ ଏହି ନୂତନ ସ୍ଥାନଗୁଡ଼ିକୁ ଯାଇ ଆମ ଉଠା ଦୋକାନୀ ଭାଇଭଉଣୀ ମାନଙ୍କଠାରୁ ଆବଶ୍ୟକ ସାମଗ୍ରୀ କିଣନ୍ତୁ ଏବଂ ସେମାନଙ୍କ ଜୀବିକାକୁ ସମର୍ଥନ କରନ୍ତୁ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ଆପଣଙ୍କ ସହଯୋଗ ଜଣେ ଦୋକାନୀଙ୍କ ଜୀବିକାକୁ ସୁଦୃଢ଼ କରିବା ସହିତ ସମ୍ବଲପୁରକୁ ଅଧିକ ସ୍ୱଚ୍ଛ ଓ ଅବରୋଧମୁକ୍ତ କରିବାରେ ମଧ୍ୟ ଯୋଗଦାନ କରିବ।ଆସନ୍ତୁ, ଆମେ ସମସ୍ତେ ମିଳି ପଥଚାରୀଙ୍କ ପାଇଁ ଅବାଧ ଫୁଟପାଥ, ଯାନବାହନ ପାଇଁ ସୁଗମ ରାସ୍ତା ଏବଂ ଉଠା ଦୋକାନୀଙ୍କ ପାଇଁ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବା। ଆପଣଙ୍କ ସହଯୋଗ—ସ୍ୱଚ୍ଛ, ସୁନ୍ଦର ଓ ଅବରୋଧମୁକ୍ତ ସମ୍ବଲପୁର ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଶ୍ରୀ ସାହୁ ସହରବାସୀଙ୍କୁ ନିବେଦନ କରିଛନ୍ତି I
