ରାଉରକେଲା:23//9,(ଉତ୍କଳ ସମାଚାର)ବିଶ୍ବ ଓଜୋନ ଦିବସ – ୨୦୨୬ ଅବସରରେ ରାଉରକେଲା ରାଜ୍ୟ ଆଞ୍ଚଳିକ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଉରକେଲା ଇସ୍ପାତ କାରଖାନା ପରିସରସ୍ଥିତ ସିପିଟିଆଇ ଅଡିଟୋରିୟମରେ “ଶୀତଳ ପୃଥିବୀ ପାଇଁ ବିଶ୍ଵସ୍ତରୀୟ ପଦକ୍ଷେପ” ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆଞ୍ଚଳିକ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଶାଖା ପକ୍ଷରୁ ନୂତନ ଟେକ୍ନୋଲୋଜି ଆପଣାଇବା ସହ ଓଡ଼ିଏସ (ଓଜୋନ କ୍ଷୟକାରୀ ପଦାର୍ଥ) ହ୍ରାସ ପାଇଁ ଏହି ଆଲୋଚନାଚକ୍ରରେ ଆହ୍ୱାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେ ପୃଥିବୀ ପୃଷ୍ଠର ଉତ୍ତାପ ବୃଦ୍ଧି, ଓଜୋନ ସ୍ତର ପ୍ରଭାବିତ ହେବା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ପ୍ରଭୃତି ନେଇ ଉଦବେଗ ପ୍ରକାଶ କରିଥିଲେ। ଶୀତଳ ପୃଥିବୀ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଜରୁରୀ ବୋଲି ସେ କହିଥିଲେ। ଏଦିଗରେ ବିଭାଗ ପକ୍ଷରୁ ସିଏନଏଫ ହ୍ରାସ ଓ ବିକଳ୍ପ ବ୍ୟବସ୍ଥା ସହ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେଲ୍ ପରିଚାଳିତ ରାଉରକେଲାର ଇସ୍ପାତ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ପ୍ରମୋଦ ଚନ୍ଦ୍ର ଦାଶ ଶୀତଳ ପୃଥିବୀ ପାଇଁ ସବୁଜ ଇସ୍ପାତ ଉତ୍ପାଦନ ବିଷୟରେ ଆଲୋଚନା କରିଥିଲେ। ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ (ଓଡିଶା ମାଇନିଂ ଡିଭିଜନ), ବଡବିଲର ଉପାଧ୍ୟକ୍ଷ ତଥା ମୁଖ୍ୟ-ପରିବେଶ ସୁରେଶ ମହାପାତ୍ର “ଲୁହାପଥର ଖଣି ଓ ପରିଷ୍କରଣରେ ପରିବେଶ ଅନୁକୂଳ ପଦ୍ଧତି” ଉପରେ ଆଲୋକପାତ କରିଥିଲେ। ଏନଆଇଟି, ରାଉରକେଲାର ଖଣି ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡକ୍ଟର ଏଚ. ବି. ସାହୁ “ଶୀତଳ ପୃଥିବୀ ପାଇଁ ଖଣି, ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ପରିବେଶ ପରିଚାଳନା ଓ ସ୍ଥାୟୀ ଖଣି କାର୍ଯ୍ୟ” ବିଷୟରେ ବକ୍ତବ୍ୟ ଦେଇଥିଲେ। ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀମତୀ ସୁସ୍ମିତା ବେହେରା “ସ୍ଥାୟୀ ପରିବହନ ଓ ଯାନବାହନ ଧୂଆଁ ହ୍ରାସ” ବିଷୟରେ ନିଜର ମତ ରଖିଥିଲେ। ଏହାପରେ ଅତିଥିମାନଙ୍କୁ ସ୍ମାରକୀ ଏବଂ କପଡା ବ୍ୟାଗ ପ୍ରଦାନ କରାଯାଇଥିଲା। ଇଂରାଜୀ ଓ ହିନ୍ଦୀରେ ମିଶନ ଲାଇଫ ଶପଥ ପାଠ କରାଯାଇଥିଲା। ପରେ ‘ଆମ ଖାଦ୍ୟ ଆମ ସଂସ୍କୃତି’ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଉପ-ପରିବେଶ ଯନ୍ତ୍ରୀ ଇଂ ବିଜୟ କୁମାର ଭୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଶେଷରେ ଉପ ପରିବେଶ ଯନ୍ତ୍ରୀ ଇଂ.ରମଣୀ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଉପ-ପରିବେଶ ଯନ୍ତ୍ରୀ ଇଂ ଚନ୍ଦ୍ର ଶେଖର ଚୌହାନ, ଇଂ ରଜତ କୁମାର ସେଠୀ, ଓଏସଡି ବି ବି ମହନ୍ତ, ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତିଙ୍କ ସମେତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ।ବିଶ୍ବ ତାପମାତ୍ରାରେ ୧.୫ ପ୍ରତିଶତ ବୃଦ୍ଧି ଘଟିବା ସହ ଗ୍ଲାସିୟର ତରଳି ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇଛି। କଳକାରଖାନାରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ସିପିଟିଆଇ ଅଡିଟୋରିୟମରେ ଆୟୋଜିତ ଶୀତଳ ପୃଥିବୀ ପାଇଁ ବିଶ୍ଵସ୍ତରୀୟ ପଦକ୍ଷେପ ଆଲୋଚନାଚକ୍ରରେ ସ୍କୁଲର ଛୋଟ ଛୋଟ ପିଲାମାନଙ୍କୁ “ଆମ ଖାଦ୍ୟ ଆମ ସଂସ୍କୃତି”କୁ ନେଇ ପୁରସ୍କୃତ କରାଯିବା କେତେଦୂର ସ୍ପୃହଣୀୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ଛୋଟ ଛୋଟ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା, ସେମାନେ ଖାଦ୍ୟ ରନ୍ଧନ ବିଷୟରେ ଜାଣିଛନ୍ତି ନା ପରିବେଶ ସୁସ୍ଥ ରହିବା ବିଷୟରେ ଜାଣିଛନ୍ତି ! ଶୀତଳ ପୃଥିବୀ ପାଇଁ ବିଶ୍ଵସ୍ତରୀୟ ପଦକ୍ଷେପର ଆୟୋଜକ ଏହାର ସ୍ପଷ୍ଟିକରଣ ଦେବା ଉଚିତ !

