ସମ୍ବଲପୁର, ୨୫/୦୯ (ଉତ୍କଳ ସମାଚାର/ସରୋଜ ସାହୁ): ସମ୍ବଲପୁର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ କମିଟି ପକ୍ଷରୁ ୧୫୦ ଜଣ ବରିଷ୍ଠ ନାଗରିକଙ୍କ ପାଇଁ ମଥୁରା ଓ ବୃନ୍ଦାବନ ତୀର୍ଥଯାତ୍ରାର ବ୍ୟବସ୍ଥା କରାଯାଇଛି। ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମିଟିର କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ ସାହା ଏହି ସୂଚନା ଦେଇଛନ୍ତି। ନଭେମ୍ବର ୨୭ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଏହି ଯାତ୍ରା କାର୍ଯ୍ୟକ୍ରମ ରହିଛି। ତୀର୍ଥଯାତ୍ରୀ ଦଳ ନଭେମ୍ବର ୨୮ରେ ସମ୍ବଲପୁରରୁ ଟ୍ରେନ୍ ଯୋଗେ ବାହାରି ୨୯ରେ ମଥୁରା ପହଞ୍ଚିବେ। ସେଠାରେ କୃଷ୍ଣ ଜନ୍ମଭୂମି, ବୃନ୍ଦାବନ, ବର୍ଷାନା, ଗୋବର୍ଦ୍ଧନ ପରିକ୍ରମା, ରାଧାକୁଣ୍ଡ, ପ୍ରେମ ମନ୍ଦିର, ନିଧିବନ ଓ ଅକ୍ରୁର ମାର୍ଗ ଆଦି ସ୍ଥାନ ଦର୍ଶନ କରିବେ। ଡିସେମ୍ବର ୧ରେ ଦଳ ମଥୁରା ଷ୍ଟେସନ୍ରୁ ସମ୍ବଲପୁର ଅଭିମୁଖେ ଫେରିବେ। ଯାତ୍ରା ପୂର୍ବରୁ କ୍ଷେତରାଜପୁର ରେଳଷ୍ଟେସନ୍ରେ ଏବଂ ଫେରିବା ପରେ ଦଲେଇପଡ଼ା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ତୀର୍ଥଯାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଟ୍ରେନ୍ ଯାତ୍ରାରେ ସେମାନଙ୍କ ସହ ୧୦ ଜଣିଆ ଏସ୍କର୍ଟ ଦଳ ଓ ଏକ ନାମଯଜ୍ଞ ଦଳ ରହିବ। ଶୀତକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ କମ୍ବଳ ଓ ଆବଶ୍ୟକ କିଟ୍ ପ୍ରଦାନ କରାଯିବ। ଯାତ୍ରାର ଏକ ସପ୍ତାହ ପୂର୍ବରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଶ୍ରୀ ସାହା କହିଛନ୍ତି।ତକବା ଗ୍ରାମର ସୁଶୀଲ ବାଦୀ ଓ ରାମଜୀ ବାଦୀ ପ୍ରଥମେ ଯାତ୍ରା ପାଇଁ ଫର୍ମ ପୂରଣ କରିଛନ୍ତି। ଇଚ୍ଛୁକ ବରିଷ୍ଠ ନାଗରିକମାନେ ଦଲେଇପଡ଼ାସ୍ଥିତ ସାଥୀ ଚାରିଟେବୁଲ ଟ୍ରଷ୍ଟ କାର୍ଯ୍ୟାଳୟରୁ ବିନାମୂଲ୍ୟରେ ଫର୍ମ ନେଇ ଅକ୍ଟୋବର ୨୦ ସୁଦ୍ଧା ପଞ୍ଜୀକରଣ କରିପାରିବେ। ସାମ୍ବାଦିକ ସମ୍ମିଳନୀରେ କମିଟିର ପରାମର୍ଶଦାତା କାର୍ତ୍ତିକ ବହିଦାର ତୀର୍ଥଯାତ୍ରାର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଆୟୋଜକ ଅରୁଣ ପଟୱାରୀ, ସମରଜିତ ପଟ୍ଟନାୟକ ଓ ଶିକ୍ଷାବିତ୍ ବିଶ୍ୱରଞ୍ଜନ ପୂଝାରୀ ଉପସ୍ଥିତ ଥିଲେ।

