ରାଉରକେଲା ୨୫/୯,(ଉତ୍କଳ ସମାଚାର) ରାଉରକେଲା ବନ ବିଭାଗ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ଚଢାଉ କରାଯାଇ ବିଶ୍ରା ବ୍ଳକର ତେତେରକେଲା ଘାଟ ନିକଟରୁ ପାଞ୍ଚଟି ଟ୍ରକ୍ ବେଆଇନ ବାଲି ବୋଝେଇ ଭାରିଯାନକୁ ଜବତ କରାଯାଇଛି। ପାଞ୍ଚଟି ଭାରୀ ଯାନ ମଧ୍ୟରୁ ତିନୋଟି ହାଇୱା ହୋଇଥିବା ବେଳେ ଦୁଇଟି ଡମ୍ପର ରହିଛି। ଏ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ବନ ବିଭାଗ ଅଧିକାରୀ (ଡିଏଫଓ) ରବିକାନ୍ତ ମୀନା।ସୂଚନା ଅନୁସାରେ ରାଉରକେଲା ବନ ବିଭାଗ ପକ୍ଷରୁ ହାତୀ ଚଳପ୍ରଚଳ ଉପରେ ନଜର ରଖିବାକୁ ବିଶ୍ରା ଅଞ୍ଚଳରେ ବନ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ତେରକେଲା ଘାଟ ପାର୍ଶ୍ଵାଞ୍ଚଳରେ ବେଆଇନ ବାଲି ଉଠାଣ ହେଉଥିବା ସୂଚନା ପାଇବା ପରେ ରାଉରକେଲା ଡିଏଫଓ ରବିକାନ୍ତ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍ ସୁରଜିତ୍ ସାହୁ ଏବଂ ଗଜେନ୍ଦ୍ର ମାଥୁରଙ୍କ ସମେତ ବନ ବିଭାଗ କର୍ମଚାରୀମାନଙ୍କ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଚଢାଉରେ ୩ଟି ହାଇଓ୍ବା ଏବଂ ୨ଟି ଡମ୍ପରକୁ ଜବତ କରାଯାଇଛି।ରାଉରକେଲା ବନ ବିଭାଗ ଡିଏଫଓ ରବିକାନ୍ତ ମୀନାଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଏହି ବାଲି ପରିବହନ ସମ୍ପର୍କରେ ସୂଚନା ପାଇବା ପରେ ଗୁରୁବାର ରାତି ପ୍ରାୟ ୨ଟାରେ ଚଢାଉ କରାଯାଇଥିଲା। ୫ଟି ଭାରିଯାନ ଯଥା ୩ଟି ହାଇଓ୍ବା ଏବଂ ୨ଟି ଡମ୍ପରକୁ ଜବତ୍ କରାଯିବା ପରେ ରାଉରକେଲା ବନ ବିଭାଗର ଅଧିକାରୀମାନେ ପଚରାଉଚରା ପାଇଁ ପାଞ୍ଚ ଜଣ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଛନ୍ତି। ଜବତ୍ ଗାଡ଼ିଗୁଡ଼ିକୁ ଅଟକାଇବା ଏବଂ ଡ୍ରାଇଭରମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ, ବେଆଇନ ବାଲି ବ୍ୟବସାୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।ବାଲିର ଉତ୍ସ, ସମ୍ପୃକ୍ତ ପକ୍ଷ ଏବଂ ଉପଯୁକ୍ତ ଅନୁମତି ବିନା ଗାଡିଗୁଡ଼ିକ କେଉଁ ପରିସ୍ଥିତିରେ ବାଲି ପରିବହନ କରୁଥିଲେ ତାହା ଜାଣିବା ପାଇଁ ରାଉରକେଲା ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲିଛି। ସମଗ୍ର ଓଡ଼ିଶାରେ ବେଆଇନ ବାଲି ପରିବହନ ବିରୋଧରେ ତୀବ୍ର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେଆଇନ ବାଲି ଖନନ ଏବଂ ପରିବହନ ସମ୍ବନ୍ଧୀୟ ଉଲ୍ଲଂଘନ ବିରୁଦ୍ଧରେ ଚଢାଉ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ, ଖଣି, ରାଜସ୍ୱ ଏବଂ ବନ ବିଭାଗର ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି।


