ସମ୍ବଲପୁର,୨୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ)ର ଇଂରାଜୀ ବିଭାଗ ପକ୍ଷରୁ ଭାରତୀୟ ଜ୍ଞାନ ପରମ୍ପରା କେନ୍ଦ୍ର ସହଯୋଗରେ ସେପ୍ଟେମ୍ବର ୨୫ ଓ ୨୬ ତାରିଖରେ ‘ଓଡ଼ିଶାର ପରିବେଷଣ କଳା’ ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓଡ଼ିଶାର ସମୃଦ୍ଧ ପରିବେଷଣ କଳା ଓ ପାରମ୍ପରିକ ଜ୍ଞାନର ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଜ୍ଞାନ ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଦସ୍ତାବିଜକରଣ ଓ ପ୍ରଦର୍ଶନ ପାଇଁ ଜିଏମ୍ୟୁରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ବୋଲି ସେ ଘୋଷଣା କରିଥିଲେ। ଇଂରାଜୀ ବିଭାଗର ମୁଖ୍ୟ ତଥା ଭାରତୀୟ ଜ୍ଞାନ ପରମ୍ପରା କେନ୍ଦ୍ରର ଅଧ୍ୟକ୍ଷା ପ୍ରଫେସର ଅଞ୍ଜଳି ତ୍ରିପାଠୀ ସ୍ୱାଗତ ଭାଷଣ ଦେବା ସହ ସମ୍ପାନର ବିଷୟବସ୍ତୁ ଉପସ୍ଥାପନ କରିଥିଲେ।ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ପ୍ରଫେସର ଦୀପକ କୁମାର ବେହେରା ଏବଂ ସମ୍ମାନିତ ଅତିଥି ପ୍ରଫେସର ଜତୀନ୍ଦ୍ର କୁମାର ନାୟକ ଓ ପ୍ରଫେସର ଜଗନ୍ନାଥ ଦାଶ ବକ୍ତବ୍ୟ ରଖିଥିଲେ। ପରିବେଷଣ କଳା କ୍ଷେତ୍ରରେ ଅବଦାନ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୁରୁ ରଞ୍ଜିତ କୁମାର ନାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ପାନର ବୈଷୟିକ ଅଧିବେଶନରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଗବେଷକ, ଶିକ୍ଷାବିତ୍ ଓ କଳାସାଧକମାନେ ଓଡ଼ିଶାର ନାଟକ, ଲୋକନୃତ୍ୟ, ଲୋକଗୀତ, ରଙ୍ଗମଞ୍ଚ, ଜନଜାତୀୟ ପରମ୍ପରା ଏବଂ ଆନୁଷ୍ଠାନିକ ପରିବେଷଣ କଳା ଉପରେ ଆଲୋଚନା କରିଥିଲେ। ପ୍ରଫେସର ଭଗବାନ ସାହୁ, ଡ. ବସନ୍ତ କୁମାର ମହାନ୍ତ, ଆଶିଷ କୁମାର ବାସା, ଡ. ମେଘନୁର ମହାନ୍ତ, ବବିତା କୈଲାରୀ, ବିଭୂତି ଭୂଷଣ ମହାନ୍ତ, ଡ. ବାୟାମନୁ ଚର୍ଚ୍ଚି, ଡ. ଜତୀନ୍ଦ୍ର ନାଥ ବେଶ୍ରା, ଡ. ଶ୍ୟାମ ସୁନ୍ଦର ଧର, ଗୁରୁ ରଞ୍ଜନ କୁମାର ସାହୁ, ଡ. ମୋହିତ କୁମାର ସ୍ୱାଇଁ, ଡ. ଅତୀଶ ଶତପଥୀ, ଜଗଦାନନ୍ଦ ବେହେରା ଓ ଡ. ସତ୍ୟନାରାୟଣ ଠାକୁର ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ।

