ରାଉରକେଲା ୨୯/୯,(ଉତ୍କଳ ସମାଚାର) ସାଇବର ଠକେଇରେ ବ୍ୟବହୃତ ବେଆଇନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ରାକେଟ ସମ୍ପର୍କରେ ଅଭିଯୋଗ ପାଇବାପରେ, ରାଉରକେଲା ବନ୍ଧାମୁଣ୍ଡା ପୋଲିସ, ଶେଖ୍ ଅମାନ ଏବଂ ଯଶରାଜ ସିଂ ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଅଟକାଇ ପଚରାଉଚୁରା କରିଥିଲେ। ସେମାନେ ପ୍ରକାଶ କରିଥିଲେ ଯେ, ଏହି ଦୁଇଜଣ ଯୋଡି ଆନ୍ତଃ ରାଜ୍ୟ (inter state) ସାଇବର ଠକେଇ ସିଣ୍ଡିକେଟ୍ ପାଇଁ ରାଉରକେଲାର ବିଭିନ୍ନ ବ୍ୟାଙ୍କରେ ସାଧାରଣ ଲୋକଙ୍କ ନାମରେ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ। ଏଥିସହିତ ସେମାନଙ୍କୁ ତାଙ୍କ ତରଫରୁ ଟଙ୍କା ଏବଂ ଚାକିରୀ ଦେବାକୁ ଆକର୍ଷିତ କରୁଥିଲେ। ଅନୁସନ୍ଧାନ ବେଳେ ଏହା ଜଣାପଡିଥିଲା ଯେ, ସାଇବର ଠକେଇ ଉଦ୍ଦେଶ୍ୟରେ ଏହି ଯୋଡି ଅନ୍ୟ ସିଣ୍ଡିକେଟ୍ ସଦସ୍ୟଙ୍କୁ ମଧ୍ୟ ବହୁ ସଂଖ୍ୟକ ବ୍ୟାଙ୍କ ଆକାଉଣ୍ଟ ଯୋଗାଇ ଦେଇଛନ୍ତି I ଏହାସହ ଅଭିଯୁକ୍ତମାନେ ବିଭିନ୍ନ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାରଣ୍ଟ କ୍ରୟ କରି ଆର୍ଥିକ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ପ୍ରକାଶ କରିଥିଲେ ଯେ, ସେମାନେ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଏବଂ ପରିଚୟପତ୍ର ପ୍ରଦାନ ପାଇଁ ଆକାଉଣ୍ଟ ପିଛା ପ୍ରାୟ ୧୫୦୦୦/- (ପନ୍ଦର ହଜାର ଟଙ୍କା) ଗ୍ରହଣ କରୁଥିଲେ। ସମନ୍ୱୟ ପୋର୍ଟାଲ୍ ଏବଂ ରାଉରକେଲା ସାଇବର ସେଲ୍, ଯାଞ୍ଚରୁ ଜଣାପଡିଛି ଯେ, ଦେଶର ବିଭିନ୍ନ ରାଜ୍ୟରେ ୨୦ଟି ସାଇବର ଅପରାଧ ଅଭିଯୋଗ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ। ସେଥିମଧ୍ୟରେ ହରିୟାଣାର ୧ଟି, ଦିଲ୍ଲୀର ୧ଟି ଲେଖାଏଁ ସାଇବର ଅପରାଧ ରହିଥିବା ବେଳେ ପଞ୍ଜାବର ୨ଟି, କର୍ଣ୍ଣାଟକର ୩ଟି, ରାଜସ୍ଥାନର ୧ଟି, ମହାରାଷ୍ଟ୍ରର ୨ଟି ସମେତ ମଧ୍ୟପ୍ରଦେଶର ୧ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମୋଟ ୧୧ଟି ବ୍ୟାଙ୍କ ଖାତା ଅଭିଯୁକ୍ତ ଏବଂ ଅନ୍ୟମାନଙ୍କ ନାମ ଦ୍ବାରା କାରବାର ହୋଇଛି ବୋଲି ଯାଞ୍ଚ ସମୟରେ ସାମ୍ନାକୁ ଆସିଛି। ଏହି ସମସ୍ତ ଆକାଉଣ୍ଟ ମାଧ୍ୟମରେ ପ୍ରାୟ ୨୫ଲକ୍ଷ ଟଙ୍କା ଠକେଇ କାରବାର କରାଯାଇଛି। ଅଭିଯୁକ୍ତମାନେ ଆର୍ଥିକ ପ୍ରୋତ୍ସାହନ ଦେଇ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଥିଲେ ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କର ବ୍ୟକ୍ତିଗତ ପରିଚୟପତ୍ର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ସଂଗ୍ରହ କରୁଥିଲେ। ବ୍ୟାଙ୍କ ଖାତା ଖୋଲିବା କିମ୍ବା କ୍ରୟ କରିବା ପରେ, ସେମାନେ ଏଟିଏମ୍ ବା ଡେବିଟ୍ କାର୍ଡ, ପଞ୍ଜୀକୃତ ସିମ୍ କାର୍ଡ, ପାସବୁକ୍ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଂ ପ୍ରମାଣପତ୍ର ରଖୁଥିଲେ ଏବଂ ପରବର୍ତ୍ତୀ ସମୟରେ ସାଇବର ଠକମାନଙ୍କୁ ଆକାଉଣ୍ଟ୍ ବିବରଣୀ ଏବଂ ଆନୁସଙ୍ଗିକ ଡକ୍ୟୁମେଣ୍ଟ୍ ପ୍ରଦାନ କିମ୍ବା ବିକ୍ରୟ କରୁଥିଲେ। ସେହି ମ୍ଯୁଲ (mule) ଆକାଉଣ୍ଟଗୁଡିକ ସାଇବର ଠକମାନଙ୍କ ଦ୍ବାରା ଅନଲାଇନ୍ ସାଇବର ଠକେଇରେ ଆୟ ଗ୍ରହଣ ପାଇଁ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଏହି ମ୍ଯୁଲ ଆକାଉଣ୍ଟ ଯୋଗାଇ ଦେଇ ଆର୍ଥିକ ଲାଭ ପାଇଥିଲେ।ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ରେଲୱେ କଲୋନୀର ସେଖ୍ ଅମନ୍ (୨୨) ଏବଂ ଦ୍ବିତୀୟ ଅଭିଯୁକ୍ତ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଗାନ୍ଧୀ ରୋଡ ନ୍ୟୁ ବସ୍ ଷ୍ଟାଣ୍ଡର ଯଶରାଜ ସିଂ ଓରଫ୍ ୟଶ (୨୪)ବର୍ଷ ।ଖୋଳାଖୋଳି ବେଳେ ପୋଲିସ ପକ୍ଷରୁ ଗୋଟିଏ ସ୍କୁଟି ଯାହାର ପଞ୍ଜିକରଣ ନମ୍ବର OD-14AM-90361, ଗୋଟିଏ କଳା ରଙ୍ଗର ଆପଲ୍ ଆଇଫୋନ୍ ମୋବାଇଲ୍, ଗୋଟିଏ POCO ମୋବାଇଲ୍ ଫୋନ୍, ଗୋଟିଏ ଏୟାରଟେଲ ସିମ୍ କାର୍ଡ, ବାଦଲ ସିଂଙ୍କ ନାମରେ ଗୋଟିଏ ଏସବିଆଇ Rupay ଏଟିଏମ୍ କାର୍ଡ, ବାଦଲ ସିଂଙ୍କ ନାମରେ ଆକାରଣ୍ଟ ନମ୍ବର -45173038793 ଥିବା ଗୋଟିଏ ଏସବିଆଇ ପାସ୍ ବୁକ୍, ଗୋଟିଏ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାସ୍ ବୁକ୍ ପ୍ରୀତମ ମହିକଙ୍କ ନାମରେ, ଅନସୁ କୁମାର ନାମରେ ବ୍ୟାଙ୍କ ଅଫ୍ ବରୋଦାର ଏକ ଚେକ୍ ବୁକ୍, ବାଦଲ ସିଂଙ୍କ ନାମରେ ଗୋଟିଏ ଆଧାର କାର୍ଡ ନମ୍ବର – -6537-1649-3902 ଏବଂ ନଗଦ ୪୦୦ ଟଙ୍କା ଜବତ କରାଯାଇଛି। ରାଉରକେଲା ପୋଲିସ ପକ୍ଷରୁ ମ୍ଯୁଲ ଆକାଉଣ୍ଟ ହ୍ୟାଣ୍ଡେଲର୍ ଏବଂ ସେମାନଙ୍କ ଆକାଉଣ୍ଟ ଖୋଳାଇଥିବା ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍/ଡେବିଟ୍ କାର୍ଡ, ମୋବାଇଲ୍ ବ୍ୟାଙ୍କିଙ୍ଗ, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରମାଣପତ୍ର କିମ୍ବା ଶୀଘ୍ର ଟଙ୍କା ପାଇଁ ସେମାନଙ୍କ ଆକାଉଣ୍ଟ ମାଧ୍ୟମରେ କାରବାର କରିବାକୁ ଅନୁମତି ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ରାଉରକେଲା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରାଯାଇଛି। ଏହି ସାଇବର ଠକେଇ ରାକେଟରେ ଜଡିତ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ସାଇବର ଠକେଇ ଆୟର ସନ୍ଦେହକୁ ଚିହ୍ନିବା ପାଇଁ ଅଧିକ ଅନୁସନ୍ଧାନ ଚାଲିଛି।


