ରାଉରକେଲା ୨୯/୯,(ଉତ୍କଳ ସମାଚାର)ଆଗଲପୁର ବ୍ଲକ ଅନ୍ତର୍ଗତ ନଗାଆଁ(କ) ସ୍ଥିତ ପିଏମଶ୍ରୀ ହାଇସ୍କୁଲ୍ ପରିସରରେ ରବିବାର ଦିନ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବିଭିନ୍ନ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବା ସହ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ ମାସିକା କେୟାରର ପ୍ରତିଷ୍ଠାତା ଭୀଷ୍ମ ପଶାୟତ, ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଶର୍ମିଳା ପ୍ରଧାନଙ୍କ ସମେତ ଟିମ୍ ସଦସ୍ୟ ହୃଷୀକେଶ ଦାସ ଏବଂ ସୃଷ୍ଟି ସୌରଭ ଯୋଗଦେଇଥିଲେ। ମାସିକା କେୟାର ପକ୍ଷରୁ ମାସିକ ଧର୍ମ ସମୟରେ ଉପଯୁକ୍ତ ଖାଦ୍ୟ, ଜୀବନଶୈଳୀ, ଯୋଗ ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଯତ୍ନ ସମ୍ପର୍କରେ ସଚେତନତାମୂଳକ ପୁସ୍ତିକା ବଣ୍ଟନ କରାଯାଇଥିଲା। ମାସିକ ଧର୍ମ ଆରମ୍ଭ ହେବାଠାରୁ ମେନୋପଜ୍ ପର୍ଯ୍ୟନ୍ତ ବିଭିନ୍ନ ବୟସର ମହିଳାଙ୍କୁ ଏ ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ଆଶା କର୍ମୀ ଓ ଗ୍ରାମାଞ୍ଚଳର ମହିଳାମାନଙ୍କ ସହ ଆଲୋଚନା କରି ମାସିକ ଧର୍ମ ସମ୍ପର୍କିତ ସମସ୍ୟା, ସାମାଜିକ ଲଜ୍ଜା, ଭ୍ରାନ୍ତ ଧାରଣା ଓ କୁସଂସ୍କାର ସମ୍ପର୍କରେ ସେମାନଙ୍କ ମତାମତ ଓ ଅଭିଜ୍ଞତା ସଂଗ୍ରହ କରାଯାଇଥିଲା। ଏହି ଆଲୋଚନାରୁ ମିଳିଥିବା ମତାମତକୁ ମାସିକା କେୟାରର ଆଗାମୀ ସଚେତନତା କାର୍ଯ୍ୟକ୍ରମ ଓ ସେବାକୁ ଆହୁରି ଲୋକାଭିମୁଖୀ କରିବାରେ ବ୍ୟବହାର କରାଯିବାର ଯୋଜନା ରହିଛି। ମାସିକା କେୟାରର ପ୍ରତିଷ୍ଠାତା ଭୀଷ୍ମ ପଶାୟତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମାସିକ ଧର୍ମକୁ ନେଇ ସମାଜରେ ରହିଥିବା ନୀରବତା, ଲଜ୍ଜା ଓ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଗ୍ରାମୀଣ ଓଡ଼ିଶାରୁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ମାସିକ ଧର୍ମ ଏକ ସ୍ୱାଭାବିକ ଶାରୀରିକ ପ୍ରକ୍ରିୟା ହୋଇଥିବାରୁ ଏହାକୁ ନେଇ ସମାଜରେ ଖୋଲା ଆଲୋଚନା ଓ ସଠିକ୍ ସ୍ୱାସ୍ଥ୍ୟ ସୂଚନା ପହଞ୍ଚାଇବା ହିଁ ମାସିକା କେୟାରର ଲକ୍ଷ୍ୟ। ଗ୍ରାମାଞ୍ଚଳର ଲୋକଙ୍କ ସହ ସିଧାସଳଖ ଆଲୋଚନାରୁ ମିଳିଥିବା ଅଭିଜ୍ଞତା ଓ ମତାମତକୁ ଆଧାର କରି ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମାସିକା କେୟାର ପକ୍ଷରୁ ଆହୁରି ବ୍ୟାପକ ମାସିକ ଧର୍ମ ସଚେତନତା ଅଭିଯାନ ଜାରି ରହିବ ବୋଲି ଏହି ସ୍ବାସ୍ଥ୍ୟ ଶିବିରରେ ପ୍ରକାଶ କରାଯାଇଛି।

