କେନ୍ଦୁଝର:29//9,(ଉତ୍କଳ ସମାଚାର ) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୁଣ୍ଟାପଡ଼ା ନିକଟରେ ସୋମବାର ରାତି ସାଢ଼େ ୧୧ ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ତୁରୁମୁଙ୍ଗା ଥାନା ଖଜିରାପଶି ଗ୍ରାମର ତ୍ରିଲୋଚନ ମହାନ୍ତ (୪୨)ଙ୍କ ମୃତ୍ୟୁ ଘଟିଛି । ସେ ପାଟଣା ଥାନା ରେ ଅବସ୍ଥାପିତ ଜଣେ ମହିଳା କନେଷ୍ଟବଳ ତୁଳସୀ ମହାନ୍ତ ଙ୍କ ସ୍ୱାମୀ । ସୂଚନା ଅନୁଯାୟୀ, ତ୍ରିଲୋଚନ କେନ୍ଦେଇପଶି ଛକ ନିକଟରେ ଏକ ଜନସେବା କେନ୍ଦ୍ର ପରିଚାଳନା କରନ୍ତି । ସବୁଦିନ ପରି ସେ ନିଜ ଦୋକାନ ବନ୍ଦ କରି ପାଟଣା ଅଭିମୁଖେ ବାଇକ୍ ଯୋଗେ ଫେରୁଥିଲେ। ରାତିରେ ଖୁଣ୍ଟାପଡ଼ା ନିକଟ ନିଛାଟିଆ ରାସ୍ତାରେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଗୁଳିଟି ତ୍ରିଲୋଚନଙ୍କ ଶରୀରରେ ବାଜିବାରୁ ସେ ରକ୍ତଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ତୁରୁମୁଙ୍ଗା ଏବଂ ପାଟଣା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ଏକ ପୂର୍ବ ଶତ୍ରୁତା ନା ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଛି, ସେ ନେଇ ପୋଲିସ ବିଭିନ୍ନ ଦିଗରୁ ତନାଘନା ତଦନ୍ତ ଆରମ୍ଭ କରିଛି ।ପାଟଣା ଥାନାଅଧିକାରୀ କିରଣ ପ୍ରସାଦ ସାହୁ ,ସୁଜାତା ମହାନ୍ତ ,ତୁରୁମୁନ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ,ସୁଜାତା ମହାନ୍ତ ,ଆଡିସନାଲ ଏସପି ପ୍ରତ୍ୟୁଷ ମହାପାତ୍ର ,ଚମ୍ପୁଆ ଏସଡିପିଓ ରଶ୍ମୀ ରଞ୍ଜନ ସାହୁ ,ସାଇଣ୍ଟିଫିକ ଟିମ ଆଖପାଖ ଅଞ୍ଚଳରେ ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରଖି ନିକଟସ୍ଥ ଗ୍ରାମରୁ ଚାରିଜଣ ମିସ୍ତ୍ରୀ ଙ୍କୁ ନିଜ ହେପାଜତ କୁ ନେଇ ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି

