ସମ୍ବଲପୁର,୨୯/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ଗତ ଶୁକ୍ରବାର (୨୫ ତାରିଖ) ଟ୍ରାନ୍ସଫର୍ମର ପୋଡ଼ିଯିବା ପରଠାରୁ କୁଟୁରାଚୁଆଁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ପାଞ୍ଚ ଦିନ ଧରି ବିଦ୍ୟୁତ୍ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଜରୁରୀ ସେବା ପ୍ରଭାବିତ ହୋଇଛି। ବିଦ୍ୟୁତ୍ ଅଭାବରୁ ପ୍ରାଥମିକ ବିଦ୍ୟାଳୟଠାରୁ ଉଚ୍ଚତର ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଆଗକୁ ଯୁକ୍ତଦୁଇ ବାର୍ଷିକ ପରୀକ୍ଷାର ଫର୍ମ ପୂରଣ ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତା ପ୍ରକାଶ କରିଛନ୍ତି। କୁଟୁରାଚୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସରକାରୀ ନୋଡାଲ ହାଇସ୍କୁଲ ଓ କଲେଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। କାର୍ଯ୍ୟାଳୟର କମ୍ପ୍ୟୁଟର କାମ ହୋଇପାରୁ ନ ଥିବାବେଳେ ଆଗାମୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜନରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଗରମ ଓ ଗୁଳୁଗୁଳି ଲୋକଙ୍କ ଅସୁବିଧା ବଢ଼ାଇଛି। ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ଆଳରେ ନୂତନ ଟ୍ରାନ୍ସଫର୍ମର ଯୋଗାଣରେ ବିଳମ୍ବ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ବିଦ୍ୟୁତ୍ ସେବା ପୁନଃସ୍ଥାପନ ନ ହେଲେ କୁଚିଣ୍ଡା–ସମ୍ବଲପୁର ରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି

