ନବରଙ୍ଗପୁର, ୦୧/୧୦/୨୦୨୬:(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ସାମାଜିକ ସମ୍ମାନ, ଅଧିକାର ଓ ସମାଜ ଗଠନରେ ସେମାନଙ୍କ ଅବଦାନକୁ ଗୁରୁତ୍ୱ ଦିଆଯାଇଥିଲା।ପୂର୍ବାହ୍ନ ପ୍ରାୟ ୯.୩୦ ମିନିଟ୍ ସମୟରେ ମା’ ଭଣ୍ଡାରଘରଣୀ ମନ୍ଦିର ପରିସରରୁ ଏକ ବିଶାଳ ସଚେତନତା ପଦଯାତ୍ରା ଆରମ୍ଭ ହୋଇଥିଲା। ଶତାଧିକ ବରିଷ୍ଠ ନାଗରିକ, ବିଭିନ୍ନ ବିଭାଗର ପଦାଧିକାରୀ ଓ ସ୍ୱେଚ୍ଛାସେବୀ ଏଥିରେ ସାମିଲ ହୋଇ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ।ଏହି ପଦଯାତ୍ରାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନବରଙ୍ଗପୁର ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ ଏବଂ ବରିଷ୍ଠ ନାଗରିକ ସଂଘର ସଭାପତିମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସାଇ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ସଭାରେ ନବରଙ୍ଗପୁର ସହରର ଦୁଇଟି ପଞ୍ଜୀକୃତ ବରିଷ୍ଠ ନାଗରିକ ସଂଘର ସଭାପତି ଓ ସମ୍ପାଦକଙ୍କ ସମେତ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଦମୟନ୍ତୀ ନାଏକ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ୍ ବର୍ମନ ସଭାରେ ସଭାପତିତ୍ୱ କରି ବରିଷ୍ଠ ନାଗରିକମାନେ ୬୦ ବର୍ଷ ବୟସ ପରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହେବା ସହିତ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଓ ସକ୍ରିୟ ଜୀବନଯାପନ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ। ସମାଜରେ ଶୃଙ୍ଖଳା, ମୂଲ୍ୟବୋଧ ଓ ସାମାଜିକ ସମନ୍ୱୟ ବଜାୟ ରଖିବାରେ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଓ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ସମାଜରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବାରେ ବରିଷ୍ଠ ନାଗରିକମାନେ ଦିଗଦର୍ଶକ ଭୂମିକା ନିର୍ବାହ କରୁଥିବା ସେ ଉଲ୍ଲେଖ କରିଥିଲେ।ବରିଷ୍ଠ ଆଇନଜୀବୀ ଶ୍ରୀ କିଶୋରୀ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କ ପାଇଁ ଉପଲବ୍ଧ ଆଇନଗତ ଅଧିକାର ଓ ବିଭିନ୍ନ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ରହ୍ମକୁମାରୀ ନମିତା ଭଉଣୀ ଜୀବନରେ ଆଧ୍ୟାତ୍ମିକତାର ଭୂମିକା ଏବଂ ଶାନ୍ତି, ସନ୍ତୋଷ ଓ ମାନସିକ ପ୍ରଶାନ୍ତି ପାଇଁ ଆଧ୍ୟାତ୍ମିକ ଚିନ୍ତନର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଶ୍ରୀ ନଗେନ୍ଦ୍ର ପଟ୍ଟନାୟକ ଏବଂ ବରିଷ୍ଠ ମାରାଥନ ଧାବକ ଶ୍ରୀ ଚିତ୍ତରଞ୍ଜନ ପାତ୍ରଙ୍କ ସହଯୋଗରେ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ଓ ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଏଥିରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ବରିଷ୍ଠ ନାଗରିକମାନଙ୍କୁ ପ୍ରମାଣପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସଭାସ୍ଥଳ ବାହାରେ ଏକ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଥିଲା। ଏଠାରେ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଆବଶ୍ୟକ ଔଷଧ ବଣ୍ଟନ କରାଯାଇଥିଲା। ସୀମାଦ୍ରୀ ସୂର୍ଯ୍ୟ ହସ୍ପିଟାଲ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଚକ୍ଷୁ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା।କାର୍ଯ୍ୟକ୍ରମରେ ଆଶାକିରଣ ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭରତ ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, ଇନ୍ସପେକ୍ଟର ଶ୍ରୀ ଦିଲୀପ ରଥ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁବ୍ରତ କିଷାନ, ଶ୍ରୀ ପାର୍ଥଜିତ୍ ମଣ୍ଡଳ, ଶ୍ରୀ ଧନଞ୍ଜୟ ରାଓଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇଥିଲେ।ଏଥିସହିତ ମିଥୁନ ତ୍ରିପାଠୀ, ବୃନ୍ଦାବନ, ପୀତବାସ, ବିଶ୍ୱଜିତ୍ ମହାନ୍ତି, ନବୀନ, ସୁକୁନ୍ତଳା ଭତ୍ରା, ସାଗରିକା ମାହାଙ୍କୁଡ଼, ବିଭୁଦତ୍ତ ସେଠୀ, ନବଘନ ସେଠୀ, ଘନଶ୍ୟାମ ବେହେରା, ଶିବ ପ୍ରସାଦ ସାହୁ, ତପନ ବେହେରା, ଲିପ୍ସା ପଣ୍ଡା, ମନୀଷା ରଥ, ରାଜେନ୍ଦ୍ର ଯାଦବ ଏବଂ ଜିଲ୍ଲା ଭିନ୍ନକ୍ଷମ ସଂଘର ସମ୍ପାଦକ ଶ୍ରୀ ସୁଜିତ୍ ରଥଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ।ଶେଷରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଧନଞ୍ଜୟ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।

