ସମ୍ବଲପୁର,୦୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଦେଶବ୍ୟାପୀ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନର ଅଂଶ ଭାବେ ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ପକ୍ଷରୁ ରେଳନଗରସ୍ଥିତ ଡିଭିଜନାଲ୍ ରେଳ ହସ୍ପିଟାଲ ପରିସରରେ ‘ଏକ ଦିନ, ଏକ ଘଣ୍ଟା, ଏକାଠି’ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣ୍ଡଳ ରେଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧରୀ ନିଜେ ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରି କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ଅଭିଯାନ ଶେଷ ହେବା ପରେ ମଧ୍ୟ ସ୍ୱଚ୍ଛତା ପାଇଁ ପ୍ରୟାସ ଜାରି ରଖିବା ସହ ଏହାକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ। ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ମନଜିତ ସିଂହ ସନସନୱାଲଙ୍କ ସମେତ ଅନ୍ୟ ରେଳ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶ୍ରମଦାନ କରିଥିଲେ।ସ୍ୱଚ୍ଛ ରେଳ ପରିବେଶ ଗଢ଼ିବା ଲକ୍ଷ୍ୟରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ମଣ୍ଡଳର ବିଭିନ୍ନ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ।

