ସମ୍ବଲପୁର,୦୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଦେଶଠାରୁ ହଜାର ହଜାର କିଲୋମିଟର ଦୂରରେ ରହିଲେ ମଧ୍ୟ ନିଜ ମାଟିର ଭାଷା, ପରମ୍ପରା ଓ ସଂସ୍କୃତିକୁ ଭୁଲିନାହାନ୍ତି ପ୍ରବାସୀ ଓଡ଼ିଆ। ଆମେରିକାର ଫିନିକ୍ସ ସହରରେ ପଶ୍ଚିମ ଓଡ଼ିଶାର ୨୯ଟି ପରିବାର ଏକାଠି ହୋଇ ନୂଆଁଖାଇ ପାଳନ କରିଛନ୍ତି। ଦୀର୍ଘଦିନ ଧରି ଫିନିକ୍ସ ଅଞ୍ଚଳରେ ରହୁଥିବା ଏହି ପରିବାରଗୁଡ଼ିକ ପାଇଁ ଏକାଠି ହୋଇ ପର୍ବ ପାଳନ କରିବାର ସୁଯୋଗ ମିଳିନଥିଲା। ସାମାଜିକ ଗଣମାଧ୍ୟମ ଜରିଆରେ ସେମାନେ ପରସ୍ପର ସହ ଯୋଡ଼ି ହୋଇଥିଲେ। ବରିଷ୍ଠ ସଂଗଠକ ତ୍ରିନାଥ ନାଏକ ଓ ଶ୍ୟାମ ପାତ୍ରଙ୍କ ଉଦ୍ୟମରେ ଏହି ମିଳିତ ଆୟୋଜନ ସମ୍ଭବ ହୋଇଥିଲା। ପ୍ରତ୍ୟେକ ପରିବାର ନିଜ ନିଜ ଦାୟିତ୍ୱ ନେଇ ପ୍ରସ୍ତୁତିରେ ସାମିଲ ହୋଇଥିଲେ। ପ୍ରାୟ ଏକ ମାସ ଆଗରୁ ବଡ଼ମାନେ ସାନମାନଙ୍କୁ ନୂଆଁଖାଇ ପାଇଁ ନିମନ୍ତ୍ରଣ ଦେଇଥିଲେ। ପର୍ବର ଦୁଇ ଦିନ ପୂର୍ବରୁ ସମସ୍ତେ ମିଶି ହାଟବଜାର କରିଥିଲେ। ନୂଆଁଖାଇ ଦିନ ପୂଜାର୍ଚ୍ଚନା ପରେ ଏକାଠି ନୂଆ ଖାଇ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇଥିଲେ। ସୁଶ୍ରୀତି ତ୍ରିପାଠୀଙ୍କ ମଞ୍ଚ ସଞ୍ଚାଳନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ରମଣୀ ସାହୁଙ୍କ ସାଜସଜ୍ଜା ଉତ୍ସବକୁ ଆକର୍ଷଣୀୟ କରିଥିଲା। ସୌମ୍ୟକାନ୍ତ ତ୍ରିପାଠୀ ଓ ରୁପେଶ ବେହେରା କାର୍ଯ୍ୟକ୍ରମର ପରିକଳ୍ପନା ଓ ପରିଚାଳନା କରିଥିଲେ। ମଲୟ, ପ୍ରଦୀପ ଦାସ, ସୌମ୍ୟକାନ୍ତ ତ୍ରିପାଠୀ, ମଧୁଶ୍ୱେତା ପଣ୍ଡା ଓ ନିରଜ କରଙ୍କ ସଙ୍ଗୀତ ପରିବେଷଣ ସହ ବିଭିନ୍ନ ଖେଳକୁଦ ପରିବେଶକୁ ଉତ୍ସବମୁଖର କରିଥିଲା। ପଣ୍ଡିତ ରବି ଦାଦା ପୂଜାର୍ଚ୍ଚନା କରିଥିଲେ। ନୂଆଁଖାଇ ଜୁହାର, ମୁଡ଼ିଆ ପର୍ବ, ସମ୍ବଲପୁରୀ ଗୀତ ଓ ନୃତ୍ୟ ସମସ୍ତଙ୍କୁ ନିଜ ଗାଁର ସ୍ମୃତି ମନେ ପକାଇଥିଲା। ଡାଲଖାଇ ଓ ରସରକେଲିର ତାଳେ ମଞ୍ଚ ଜମିଯାଇଥିଲା। ପାନ ଠେଲା ସହ ପଶ୍ଚିମ ଓଡ଼ିଶାର ପୁରୁଣା ଜୀବନଶୈଳୀ ସହ ଜଡ଼ିତ ସାମଗ୍ରୀକୁ ନେଇ ଆୟୋଜିତ ଖେଳକୁଦ ମଧ୍ୟ ଆକର୍ଷଣର କେନ୍ଦ୍ର ହୋଇଥିଲା। ଖାଦ୍ୟରେ ଥିଲା କରଡ଼ି ଆମିଲ, ଭଜା, ପିଠା, ମଣ୍ଡା, ରସବରା, ମୁଗବରା, ଖିରି, ପୁରି, ଆଳୁଚପ୍ ଓ ମୁଢ଼ି ପାଗ ଭଳି ପାରମ୍ପରିକ ବ୍ୟଞ୍ଜନ। ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର ଓ ଉଦ୍ୟୋଗୀଙ୍କ ସମେତ ବିଭିନ୍ନ ବୃତ୍ତିର ଲୋକ ଏହି ମିଳନ ପର୍ବରେ ସାମିଲ ହୋଇଥିଲେ। ନୂଆ ପିଢ଼ି ନିଜ ପରମ୍ପରା ସହ ପରିଚିତ ହୋଇଥିବା ବେଳେ ବଡ଼ମାନେ ନିଜ ଗାଁ ଓ ପିଲାଦିନର ସ୍ମୃତିକୁ ପୁଣିଥରେ ଅନୁଭବ କରିଥିଲେ I

