ସମ୍ବଲପୁର,୦୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅଧୀନରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ବିଭିନ୍ନ ସ୍ଥାନରେ ‘ସଫାଇ ମିତ୍ର ସୁରକ୍ଷା ଶିବିର’ ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା।ରେଳ ପରିସର, କଲୋନୀ ଓ ଷ୍ଟେସନଗୁଡ଼ିକରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁଥିବା ସଫାଇ ମିତ୍ର ଓ ଅଗ୍ରଣୀ ସଫେଇ କର୍ମୀଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ କଲ୍ୟାଣକୁ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଇଥିଲା। ରେଳ ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀମାନେ ଶିବିରରେ ରକ୍ତଚାପ, ରକ୍ତ ଶର୍କରା, ଦୃଷ୍ଟିଶକ୍ତି ଓ ସାଧାରଣ ସ୍ୱାସ୍ଥ୍ୟର ମାଗଣା ପରୀକ୍ଷା କରିଥିଲେ। ଏହା ସହିତ ସ୍ୱଚ୍ଛତା, ପ୍ରତିରୋଧମୂଳକ ସ୍ୱାସ୍ଥ୍ୟସେବା ଏବଂ ଅଳିଆ ପରିଚାଳନା ଓ ସଫେଇ କାମ ସମୟରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା। ସ୍ୱଚ୍ଛ ପରିବେଶ ବଜାୟ ରଖିବା ସହ ସଫେଇ କର୍ମୀଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ କୁହାଯାଇଛି

