ସମ୍ବଲପୁର,୦୨/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ସାହାସପୁର ଅଞ୍ଚଳର ପ୍ରସିଦ୍ଧ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ମନ୍ଦିର ଦ୍ୱାରଦେଶରେ ଥିବା ଗୋଚର ଜମି ଜବରଦଖଲ ହୋଇଥିବା ଅଭିଯୋଗକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ ଗିରିଗୋବର୍ଦ୍ଧନ ପୂଜା କମିଟି ଓ ଗ୍ରାମବାସୀ ସମ୍ବଲପୁର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସାହାସପୁର ଅଞ୍ଚଳରେ ଦୀର୍ଘ ୯୭ ବର୍ଷ ଧରି ଶ୍ରୀକୃଷ୍ଣଙ୍କ ଗିରିଗୋବର୍ଦ୍ଧନ ପୂଜା ହୋଇଆସୁଛି। ଚଳିତ ବର୍ଷ ଏହି ପୂଜା ୯୮ତମ ବର୍ଷରେ ପଦାର୍ପଣ କରିବ। ପ୍ରତିବର୍ଷ ଏହି ଉତ୍ସବରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ମନ୍ଦିର ଦର୍ଶନ କରିବା ସହ ଅନ୍ନକୂଟ ଉତ୍ସବରେ ସାମିଲ ହୋଇଥାନ୍ତି। ପୂଜା କମିଟିର କହିବା ଅନୁଯାୟୀ, ମନ୍ଦିର ଦ୍ୱାରଦେଶରେ ଥିବା ଗୋଚର ଜମିକୁ ବହୁ ବର୍ଷ ଧରି ପୂଜା ସମୟରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ସହ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ବ୍ୟବହାର କରାଯାଉଛି।ଅଭିଯୋଗ ଅନୁସାରେ, ସ୍ଥାନୀୟ ବାସିନ୍ଦା ନେପାଳ ରୋହିଦାସ ଉକ୍ତ ଜମିକୁ ଜବରଦଖଲ କରି ରଖିଛନ୍ତି। ଏହାଦ୍ୱାରା ପୂଜାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଓ ଶ୍ରଦ୍ଧାଳୁଙ୍କ ଯାତାୟାତରେ ସମସ୍ୟା ହେଉଥିବା କମିଟି ଓ ଗ୍ରାମବାସୀ କହିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ସେମାନେ ପ୍ରକାଶ କରିଛନ୍ତି।ଜବରଦଖଲ ଉଚ୍ଛେଦ ପାଇଁ ପୂର୍ବରୁ ପ୍ରଶାସନର ବିଭିନ୍ନ ସ୍ତରରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମାଧାନ ହୋଇନଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ତେଣୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗ୍ରାମବାସୀ। ସାହାସପୁର ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟାଙ୍କ ସମେତ ଶତାଧିକ ଅଞ୍ଚଳବାସୀ ସ୍ମାରକପତ୍ର ପ୍ରଦାନ କରି ଘଟଣାର ତୁରନ୍ତ ତଦନ୍ତ, ଜମିର ସ୍ଥିତି ଯାଞ୍ଚ ଏବଂ ଜବରଦଖଲ ପ୍ରମାଣିତ ହେଲେ ଆଇନାନୁଯାୟୀ ଉଚ୍ଛେଦ ପାଇଁ ଦାବି କରିଛନ୍ତି। ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସାହାସପୁରବାସୀଙ୍କ ନଜର ରହିଛି

