ସମ୍ବଲପୁର,୦୨/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଧମା ଥାନା ଅନ୍ତର୍ଗତ ସାହାସପୁରର ପ୍ରସିଦ୍ଧ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ମନ୍ଦିର ନିକଟରେ ଥିବା ଗୋଚର ଜମି ଜବରଦଖଲ ହୋଇଥିବା ଅଭିଯୋଗକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜବରଦଖଲ ଉଚ୍ଛେଦ ଦାବିରେ ଗିରିଗୋବର୍ଦ୍ଧନ ପୂଜା କମିଟି ଓ ଗ୍ରାମବାସୀ ସମ୍ବଲପୁର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି। ସ୍ମାରକପତ୍ର ଅନୁଯାୟୀ, ସାହାସପୁରରେ ଦୀର୍ଘ ୯୭ ବର୍ଷ ଧରି ଶ୍ରୀକୃଷ୍ଣଙ୍କ ଗିରିଗୋବର୍ଦ୍ଧନ ପୂଜା ହୋଇଆସୁଛି। ଚଳିତ ବର୍ଷ ଏହି ପୂଜା ୯୮ତମ ବର୍ଷରେ ପଦାର୍ପଣ କରିବ। ପ୍ରତିବର୍ଷ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ମନ୍ଦିରକୁ ଆସିବା ସହ ଅନ୍ନକୂଟ ଉତ୍ସବରେ ଯୋଗ ଦେଇଥାନ୍ତି।ପୂଜା କମିଟିର କହିବା ଅନୁସାରେ, ମନ୍ଦିର ଦ୍ୱାରଦେଶରେ ଥିବା ଗୋଚର ଜମିଟିକୁ ପୂଜା ସମୟରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଦୀର୍ଘଦିନ ଧରି ବ୍ୟବହାର କରାଯାଉଛି। ସ୍ଥାନୀୟ ବାସିନ୍ଦା ନେପାଳ ରୋହିଦାସ ଜମିଟିକୁ ଜବରଦଖଲ କରିଥିବା ପୂଜା କମିଟି ଅଭିଯୋଗ କରିଛି। ଏହା ଫଳରେ ପୂଜାର ବିଭିନ୍ନ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଳୁଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ସହ ଆଇନଶୃଙ୍ଖଳା ସମସ୍ୟା ଉପୁଜିବାର ଆଶଙ୍କା ଥିବା ମଧ୍ୟ ସେମାନେ ଜଣାଇଛନ୍ତି।ଏହି ମାମଲାରେ ପୂର୍ବରୁ ପ୍ରଶାସନର ବିଭିନ୍ନ ସ୍ତରରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମାଧାନ ହୋଇନଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ତେଣୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗ୍ରାମବାସୀ। ସାହାସପୁର ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟାଙ୍କ ସମେତ ଶତାଧିକ ଅଞ୍ଚଳବାସୀ ସ୍ମାରକପତ୍ର ପ୍ରଦାନ କରି ଜମିର ସ୍ଥିତି ତଦନ୍ତ କରିବାକୁ ଦାବି କରିଛନ୍ତି। ତଦନ୍ତରେ ଜବରଦଖଲ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ଉଚ୍ଛେଦ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି। ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସାହାସପୁରବାସୀଙ୍କ ନଜର ରହିଛି I

