ସମ୍ବଲପୁର,୦୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ବ୍ୟାଡମିଣ୍ଟନ୍ ସଂଘ ପକ୍ଷରୁ ଆୟୋଜିତ ୟୋନେକ୍ସ-ସନରାଇଜ୍ ସମ୍ବଲପୁର ଜିଲ୍ଲା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍ ବୁର୍ଲାସ୍ଥିତ ବିଜୁ ପଟ୍ଟନାୟକ ମଲ୍ଟିପରପୋଜ୍ ଇଣ୍ଡୋର ଷ୍ଟାଡିୟମ୍ରେ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ସଚିବ ପ୍ରଫେସର ଡ. ଦେବେନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ଡ. ଅବିନାଶ କର, ଓଏସ୍ବିଏର ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ, ଉପସଭାପତି ସୁରେଶ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ଶୁଭମ ଶର୍ମା, ଡେଭଲପମେଣ୍ଟ କମିଟି ସଦସ୍ୟ ସନ୍ଦୀପ ମିଶ୍ର, ଜିଲ୍ଲା ବ୍ୟାଡମିଣ୍ଟନ୍ ସଂଘର ଉପସଭାପତି ପ୍ରବୀଣ ବେହେରା, ଟୁର୍ନାମେଣ୍ଟ ସଂଯୋଜକ ଅଭିଷେକ ବିଶ୍ୱାସ ଏବଂ ମ୍ୟାଚ୍ ରେଫରି ଲକ୍ଷପତି ନନ୍ଦ ମଞ୍ଚାସୀନ ଥିଲେ।ଜାତୀୟସ୍ତରୀୟ ଅମ୍ପାୟାର ଟିକେଶ୍ୱର ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅତିଥିମାନେ ନୂଆ ପିଢ଼ିର ଶିଶୁମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନ୍ ପ୍ରତି ବଢ଼ୁଥିବା ଆଗ୍ରହକୁ ପ୍ରଶଂସା କରିଥିଲେ। ମାନସିକ ବିକାଶ ଓ ସୁସ୍ଥ ଜୀବନ ପାଇଁ କ୍ରୀଡ଼ାରେ ସାମିଲ ହେବା ଜରୁରୀ ବୋଲି ସେମାନେ ମତ ଦେଇଥିଲେ। ଶିଶୁମାନଙ୍କ ଖେଳ ପ୍ରତି ଆଗ୍ରହ ଏବଂ ଅଭିଭାବକଙ୍କ ପ୍ରୋତ୍ସାହନ ଖୁସିର ବିଷୟ ବୋଲି ମୁଖ୍ୟ ଅତିଥି ପ୍ରଫେସର ଡ. ମଲ୍ଲିକ କହିଥିଲେ। ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଅତିଥିମାନେ ଚାମ୍ପିୟନଶିପ୍ର ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ କୁଚିଣ୍ଡା, ହୀରାକୁଦ, ରେଢ଼ାଖୋଲ, ରେଙ୍ଗାଲି, ବୁର୍ଲା ଓ ସମ୍ବଲପୁରରୁ ୨୩୨ ଜଣ ବାଳକ ଓ ବାଳିକା ଖେଳାଳି ଭାଗ ନେଇଛନ୍ତି। ୯, ୧୧, ୧୩, ୧୫, ୧୭ ଓ ୧୯ ବର୍ଷରୁ କମ୍ ବୟସ ବର୍ଗରେ ବାଳକ ଓ ବାଳିକାଙ୍କ ପ୍ରତିଯୋଗିତା ହେଉଛି। ସିନିୟର ବିଭାଗରେ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ୍ ଡବଲ୍ସ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ। ଅକ୍ଟୋବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାମ୍ପିୟନଶିପ୍ ଚାଲିବ। ଓଡ଼ିଶା ବ୍ୟାଡମିଣ୍ଟନ୍ ସଂଘର ସ୍ୱୀକୃତିପ୍ରାପ୍ତ ଅମ୍ପାୟାର ଟିକେଶ୍ୱର ସାହୁ, ସୌମିତ୍ରୀ ପ୍ରସାଦ ଦାସ, ବବୁଲୁ ସାହୁ, ମଣି ବେଜି, ହେମାନନ୍ଦ ଥାପା, ସୂର୍ଯ୍ୟ ପାଣିଗ୍ରାହୀ, ନୀଳାଞ୍ଚଳ ସେଠୀ, ବବୁଲୁ ପ୍ରଧାନ, ସନ୍ଦୀପ ନାୟକ, ତପୁନ ସାହୁ ଓ ସ୍ୱରାଜ ସିଂ ଛୁରିଆ ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିଲେ। ଶଶାଙ୍କ ଶେଖର ଜେନା, ସୁରଜ ପଟ୍ଟନାୟକ ଓ ପ୍ରଜ୍ୱଳିତ ପାତ୍ର ପରିଚାଳନାରେ ସହଯୋଗ କରିଥିଲେ।

