ସମ୍ବଲପୁର,୦୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ରେଙ୍ଗାଲି ବ୍ଲକ୍ ଲଇଡ଼ା ଗ୍ରାମପଞ୍ଚାୟତର ରଙ୍ଗଟିକ୍ରା ଗ୍ରାମରେ ଅତ୍ୟନ୍ତ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି ଦୁର୍ଯ୍ୟୋଧନ ପଣ୍ଡା ଓ ତାଙ୍କ ପତ୍ନୀ ଯଶୋଦା ପଣ୍ଡା। ଦୁର୍ଯ୍ୟୋଧନଙ୍କ ଗୋଡ଼ରେ ସମସ୍ୟା ଥିବାରୁ ସେ ସ୍ୱାଭାବିକ ଭାବେ ଚାଲିପାରୁନାହାନ୍ତି। ଶାରୀରିକ ଅସୁବିଧା ସହ ଆର୍ଥିକ ଅନଟନ ତାଙ୍କ ପରିବାରର ସ୍ଥିତିକୁ ଆହୁରି ଦୁର୍ବିଷହ କରିଛି।ପରିବାରର ଅଭିଯୋଗ ଅନୁଯାୟୀ, ସରକାରୀ ସହାୟତା ଭାବେ ସେମାନଙ୍କୁ ମାସକୁ ମାତ୍ର ୫ କେଜି ଚାଉଳ ମିଳୁଛି।ଦୁର୍ଯ୍ୟୋଧନଙ୍କ ବୟସ ୬୦ ବର୍ଷ ହୋଇଥିଲେ ମଧ୍ୟ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି। ଶାରୀରିକ ସମସ୍ୟା ଯୋଗୁଁ ଚାଲିବା ଓ କାମ କରିବା କଷ୍ଟକର ହୋଇଥିବା ବେଳେ ପରିବାରର ନିୟମିତ ଆୟର କୌଣସି ସ୍ଥାୟୀ ଉତ୍ସ ନାହିଁ।ସେମାନଙ୍କ ବାସଗୃହର ଅବସ୍ଥା ମଧ୍ୟ ଶୋଚନୀୟ। ଭଙ୍ଗା କାନ୍ଥ ଓ ପୁରୁଣା ଛପର ଥିବାଅସୁରକ୍ଷିତ ଘରେ ରହୁଛନ୍ତି ଏହି ଦମ୍ପତି। ବର୍ଷା ଓ ଖରା ସମୟରେ ଘରେ ରହିବା ସେମାନଙ୍କ ପାଇଁ ଅଧିକ କଷ୍ଟକର ହେଉଛି।ଦୁର୍ଯ୍ୟୋଧନଙ୍କ କହିବା ଅନୁଯାୟୀ, ଶାରୀରିକ ଅକ୍ଷମତା ପ୍ରମାଣପତ୍ର ପାଇଁ ଗତବର୍ଷ ସେ ଦୁଇଥର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ହେଲେ ଦୌଡ଼ାଦୌଡ଼ି ପରେ ମଧ୍ୟ ନିରାଶ ହୋଇ ଫେରିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ଉପଯୁକ୍ତ ଚିକିତ୍ସା ଓ ଆବଶ୍ୟକ ସହାୟକ ଉପକରଣ ଯୋଗାଇଦେବା ସହ ପରିବାରର ଆବାସ, ଖାଦ୍ୟ ସୁରକ୍ଷା ଓ ଭତ୍ତା ସମ୍ପର୍କିତ ଯୋଗ୍ୟତା ଯାଞ୍ଚ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପରିବାରର ସ୍ଥିତି ତଦନ୍ତ କରି ଯୋଗ୍ୟତା ଅନୁଯାୟୀ ସରକାରୀ ସୁବିଧା ଯୋଗାଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଦୁର୍ଯ୍ୟୋଧନଙ୍କ ପରିବାରକୁ ଯୋଜନାରେ ସାମିଲ କରି ତାଙ୍କ ଜୀବନରେ ଆଶ୍ୱାସନ ଓ ସ୍ୱାଭିମାନ ଫେରାଇ ଆଣିବାକୁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

