ସମ୍ବଲପୁର,୦୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଓଡ଼ିଶା ସେଣ୍ଟର ଫର୍ ଜେରିଆଟ୍ରିକ୍ସ ଆଣ୍ଡ ଜେରୋଣ୍ଟୋଲୋଜି ପକ୍ଷରୁ ଦୁର୍ଗାପାଲ୍ଲୀସ୍ଥିତ ଦୟାମଣି ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ କରାଯାଇଛି।ଚଳିତ ବର୍ଷର ଥିମ୍କୁ ଆଧାର କରି ବୟସ୍କମାନଙ୍କ ସୁସ୍ଥ ଓ ସମ୍ମାନଜନକ ଜୀବନ, ସ୍ୱାସ୍ଥ୍ୟ ସୁରକ୍ଷା, ମାନସିକ ସୁସ୍ଥତା ଏବଂ ସମାଜରେ ସେମାନଙ୍କ ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ସଂଯୋଜକ ଡ. ରଘୁନାଥ ସତପଥୀ, ସଦସ୍ୟ ଡ. ପ୍ରଦୋଷ କୁମାର ଆଚାର୍ଯ୍ୟ ଓ ଡ. ରୂପଶ୍ରୀ ବ୍ରହ୍ମକୁମାରୀଙ୍କ ସମେତ କର୍ମଚାରୀ ବାଦଲ କୁମାର ସାହୁ, ପ୍ରୀତି ସ୍ୱାଇଁ ଓ ସୀମାରାଣୀ ଦତ୍ତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ସମୟ ବିତାଇବା ସହ ଆଲୋଚନା କରିଥିଲେ। ବୟସ୍କମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା, ଏକାକୀତ୍ୱ ଦୂରୀକରଣ ଏବଂ ସକ୍ରିୟ ଜୀବନଯାପନର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବୟସ୍କମାନେ ପରିବାର ଓ ସମାଜର ମୂଲ୍ୟବାନ ଅଂଶ। ସେମାନଙ୍କ ଅଭିଜ୍ଞତାକୁ ସମ୍ମାନ ଦେବା ସହ ସୁସ୍ଥ, ସକ୍ରିୟ ଓ ସମ୍ମାନଜନକ ଜୀବନ ଯୋଗାଇବା ସମସ୍ତଙ୍କ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାରର ଫଳ ବଣ୍ଟନ କରାଯାଇଥିଲା। ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା।

