ନବରଙ୍ଗପୁର,3//10,(ଉତ୍କଳ ସମାଚାର)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ନେତୃତ୍ୱରେ ମାତୃ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଅକ୍ଟୋବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମାସିକ ଅଭିଯାନ ‘ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସପ୍ତାହ (MCH Week)’ ପାଳନ କରାଯାଉଛି। ଏହି ଅଭିଯାନରେ ଅକ୍ଟୋବର ମାସରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳା ଏବଂ ସେପ୍ଟେମ୍ବର ମାସରେ ପ୍ରସବ କରିଥିବା ମାତା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।ଏହି ଅଭିଯାନର ସଫଳ ରୂପାୟନ ଓ ତଦାରଖ ନିମନ୍ତେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରି ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଅଭିଯାନର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି କ୍ରମରେ ଜିଲ୍ଲାପାଳ ନିଜେ ଆଜି କୋଷାଗୁମୁଡ଼ା ବ୍ଲକର ସନ୍ତୋଷପୁର-୧ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରି ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଅଙ୍ଗନବାଡ଼ି କର୍ମୀ କୁମାରୀ ମାଝୀଙ୍କ ସହ ଅଭିଯାନର କାର୍ଯ୍ୟକାରିତା ଓ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା କରିଥିଲେ।ଏତଦ୍ବ୍ୟତୀତ, କୋଷାଗୁମୁଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ।ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଏବଂ ନବରଙ୍ଗପୁରର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ କୋଷାଗୁମୁଡ଼ା ବ୍ଲକ କାର୍ଯ୍ୟାଳୟଠାରେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ବନ୍ୟାଜନିତ କ୍ଷୟକ୍ଷତି ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି କ୍ଷତିଗ୍ରସ୍ତ ହିତାଧିକାରୀମାନଙ୍କୁ ନିୟମାନୁଯାୟୀ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ମାତୃ ଓ ନବଜାତ ଶିଶୁଙ୍କ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ସହ ଅଭିଯାନର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ତଦାରଖ, କ୍ଷେତ୍ରସ୍ତରୀୟ ପରିଦର୍ଶନ ଓ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଉଛି

