ରାଇଘର:ନରସିଂବାଘ 03/10/2026-(ଉତ୍କଳ ସମାଚାର)ନରସିଂହ ବାଘ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଜଙ୍ଗଲ ଅଞ୍ଚଳରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଣେ ୩୫ ବର୍ଷୀୟ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଚାର ପାଇବା ପରେ ଅଞ୍ଚଳରେ ଚର୍ଚ୍ଚା ସହ ଉଦ୍ବେଗ ପ୍ରକାଶ ପାଇଛି। ଘଟଣାକୁ ନେଇ ବିଭିନ୍ନ ମହଲରୁ ଚିନ୍ତା ପ୍ରକାଶ ପାଇଥିବା ବେଳେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ତାଙ୍କୁ ମିଳୁଥିବା ଚିକିତ୍ସା ସମ୍ପର୍କରେ ମଧ୍ୟ ଆଲୋଚନା ହେଉଛି।ଏହି ପରିପ୍ରେକ୍ଷୀରେ ଆଜି ରାଇଘର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପୀଡ଼ିତାଙ୍କୁ ଭେଟିଛି କଂଗ୍ରେସର ଏକ ପ୍ରତିନିଧି ଦଳ। ଟିମ୍ର ସଦସ୍ୟମାନେ ପୀଡ଼ିତାଙ୍କ ସହ ଆଲୋଚନା କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଘଟଣା ସମ୍ପର୍କରେ ମଧ୍ୟ ତଥ୍ୟ ନେବା ସହ ପୀଡ଼ିତାଙ୍କୁ ଆବଶ୍ୟକ ସହାୟତା ମିଳୁଛି କି ନାହିଁ, ସେନେଇ ଜାଣିବାକୁ ଚେଷ୍ଟା କରିଥିଲେ।କଂଗ୍ରେସ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଘଟଣାର ନିରପେକ୍ଷ ଭାବେ ତଦନ୍ତ କରାଯିବା ଆବଶ୍ୟକ। ତଦନ୍ତ ପ୍ରକ୍ରିୟା ଶୀଘ୍ର ଶେଷ କରି ଘଟଣାରେ ଯଦି କେହି ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଦାବି କରାଯାଇଛି। ଏଥିସହ ପୀଡ଼ିତାଙ୍କୁ ଆବଶ୍ୟକ ଚିକିତ୍ସା, ସୁରକ୍ଷା ଓ ମାନସିକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ଦାବି ରଖାଯାଇଛି।ଅନ୍ୟପକ୍ଷରେ, ଏଭଳି ସମ୍ବେଦନଶୀଳ ଘଟଣାରେ ପୀଡ଼ିତାଙ୍କ ସମ୍ମାନ ଓ ଗୋପନୀୟତା ରକ୍ଷା କରିବା ସହ ତଦନ୍ତ ପ୍ରକ୍ରିୟାକୁ ନିରପେକ୍ଷ ଭାବେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଘଟଣା ସମ୍ପର୍କରେ ଅଭିଯୋଗ ହୋଇଥିବାରୁ ଏହାର ପ୍ରକୃତ ସତ୍ୟ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ପରେ ହିଁ ସ୍ପଷ୍ଟ ହେବ।
