ସମ୍ବଲପୁର,୦୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଦାନୀପାଲିସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀ ଅବସରରେ ଆଜି ଶନିବାରଠାରୁ ଷୋହଳ ପୂଜା ଆରମ୍ଭ ହୋଇଛି। ଏହି ପୂଜା ଆଶ୍ୱିନ ଶୁକ୍ଳପକ୍ଷ ମହାଷ୍ଟମୀ, ଅକ୍ଟୋବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।ପ୍ରଥମ ଦିନ ସକାଳେ ଦେବଦେବୀଙ୍କ ସ୍ନାନ ପରେ ପୂଜାବିଧି ଆରମ୍ଭ ହୋଇଥିଲା। ରଣେଶ୍ୱର ରାମଚଣ୍ଡୀଙ୍କ ପୂଜା ପରେ ଶ୍ରୀଗଣେଶଙ୍କ ପୂଜା କରାଯାଇଥିଲା। ଷୋହଳ ଦିନ ଧରି ପ୍ରତିଦିନ ଦେବଦେବୀଙ୍କର ବିଶେଷ ପୂଜା ହେବ। ଅକ୍ଟୋବର ୧୮ ମହାଷ୍ଟମୀରେ ମା’ ରାମଚଣ୍ଡୀଙ୍କ ବିଶେଷ ପୂଜା ସହ ଷୋହଳ ପୂଜାର ସମାପନ ହେବ। ଏହି ଦିନ ରାମଚଣ୍ଡୀ ସେବା ସଦନର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯିବ।ଅକ୍ଟୋବର ୧୧ ରବିବାର ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବଦିନାତ୍ମକ ପୂଜା ଅବସରରେ ଭକ୍ତଙ୍କ ପାଇଁ ମାନସିକ ଦୀପ ବସାଇବାର ବ୍ୟବସ୍ଥା ରହିଛି। ଭକ୍ତମାନେ ନିଜ ସୁବିଧା ଅନୁସାରେ ୯ ଦିନ, ୩ ଦିନ କିମ୍ବା ୧ ଦିନ ପାଇଁ ପରିବାରର ମଙ୍ଗଳ କାମନା କରି ଅଖଣ୍ଡ ଦୀପ ବସାଇପାରିବେ।ଅକ୍ଟୋବର ୨୫ ରବିବାର ଚତୁର୍ଦ୍ଦଶୀ ଦିନ ମା’ ରାମଚଣ୍ଡୀଙ୍କ ବିଶେଷ ପୂଜା, ନୂତନ ଧଣ୍ଡା ସ୍ଥାପନ ସହ ‘ରାମଚଣ୍ଡୀ ଦିବସ’ ଳନ କରାଯିବ। ମନ୍ଦିର ପୂଜକ ବାସୁଦେବ ଭୋଇ, ସୁଦାମ ପ୍ରଧାନ ଓ ଦେବୀପ୍ରସାଦ ଭୋଇଙ୍କ ତତ୍ତ୍ୱାବଧାନରେ ଷୋହଳ ପୂଜା ସହ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ।ମୂଳାଷ୍ଟମୀ ଦିନ ଦୁତିବାହନ ଓଷା ‘ପୁଅ ଜିଉଁନ୍ତା’ ମଧ୍ୟ ପାଳିତ ହୋଇଥିଲା। ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଅଞ୍ଚଳର ମହିଳାମାନେ ମନ୍ଦିର ପରିସରରେ ଏହି ବ୍ରତ ପାଳନ କରିଥିଲେ। ଭକ୍ତମାନେ ମା’ ରାମଚଣ୍ଡୀଙ୍କ ଦର୍ଶନ କରି ପରିବାର ଓ ବନ୍ଧୁବାନ୍ଧବଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ଲାଭ କରିଥିଲେ I

