ସମ୍ବଲପୁର,୦୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପଶ୍ଚିମ ଓଡ଼ିଶାର ଏକ ନିଆରା ପାରମ୍ପରିକ ପର୍ବ ପୁଅଜିଉଁତିଆ ଶନିବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ବିଭିନ୍ନ ଗ୍ରାମ ଓ ସାହିରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ସନ୍ତାନମାନଙ୍କର ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳ କାମନା କରି ବ୍ରତଧାରୀ ମହିଳାମାନେ ଏହି ପର୍ବ ପାଳନ କରିଥିଲେ। ଏହି ଅବସରରେ ସାହାସପୁର ଗ୍ରାମର ବିଭିନ୍ନ ପଡ଼ାରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ପୁଅଜିଉଁତିଆ ପୂଜା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ସମୟରେ ବ୍ରତଧାରୀ ମହିଳାମାନେ ଦଳବଦ୍ଧ ଭାବେ ପୋଖରୀକୁ ଯାଇ ଘାଟ ପୂଜା କରିଥିଲେ। ପରେ ରାତିରେ ନିଜ ନିଜ ସାହି ଓ ପଡ଼ାର ପୂଜା ମଣ୍ଡପରେ ଏକତ୍ରିତ ହୋଇ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରିଥିଲେ।ପୂଜା ମଣ୍ଡପରେ ପଣ୍ଡିତଙ୍କ ଦ୍ୱାରା ଦୁତିବାହନ ଗାଥା ପାଠ କରାଯାଇଥିଲା। ଏହି ସମୟରେ ମହିଳାମାନେ ଭକ୍ତି ଓ ନିଷ୍ଠାର ସହ ବ୍ରତ ପାଳନ କରିଥିଲେ। ପୂଜାର୍ଚ୍ଚନା ଶେଷରେ ଆରତୀ କରାଯାଇ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ପର୍ବର ପରମ୍ପରା ଅନୁଯାୟୀ ରବିବାର ବ୍ରତଧାରୀ ମହିଳାମାନେ ନିଜ ନିଜ ସନ୍ତାନଙ୍କୁ ଧୂବ ଛୁଆଁଇବା କାର୍ଯ୍ୟକ୍ରମ ପାଳନ କରିଛନ୍ତି । ପୁଅଜିଉଁତିଆ ପର୍ବକୁ ନେଇ ଗ୍ରାମାଞ୍ଚଳରେ ଧାର୍ମିକ ପରିବେଶ ସୃଷ୍ଟି ହେବା ସହ ପାରମ୍ପରିକ ରୀତିନୀତି ଓ ଲୋକସଂସ୍କୃତିର ଝଲକ ଦେଖିବାକୁ ମିଳିଛି।

