ସମ୍ବଲପୁର,୦୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର–ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥର ଜୟଘଣ୍ଟରୁ ଧମା ପର୍ଯ୍ୟନ୍ତ ରାସ୍ତା ଦୀର୍ଘଦିନ ଧରି ଦୁରବସ୍ଥାରେ ରହିଥିଲା। ଶେଷରେ ଜୟଘଣ୍ଟଠାରେ ରାସ୍ତା ମରାମତି କାମ ଆରମ୍ଭ ହୋଇଛି। ରାସ୍ତା ମରାମତି ଦାବିରେ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ କାମ ଆରମ୍ଭ ହୋଇଥିବାରୁ ଅକ୍ଟୋବର ୫ରେ ହେବାକୁ ଥିବା ରାସ୍ତାରୋକ କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ରାସ୍ତାର ଦୁରବସ୍ଥା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସୁଫଳ ନମିଳିବାରୁ ସେପ୍ଟେମ୍ବର ୨୫ରେ ଧମା, ବରଗା, ସାହାସପୁର ଓ ବତେମୁରା ଅଞ୍ଚଳର ଲୋକେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ସାତ ଦିନ ମଧ୍ୟରେ ରାସ୍ତା କାମ ଆରମ୍ଭ ନହେଲେ ଅକ୍ଟୋବର ୫ରେ ରାସ୍ତାରୋକ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।ଜୟଘଣ୍ଟଠାରେ କାମ ଆରମ୍ଭ ହୋଇଥିବାରୁ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେବେ ରାସ୍ତା କାମ ସମ୍ପୂର୍ଣ୍ଣ ନହେଲେ ପୁଣି ରାସ୍ତାରୋକ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ନେଇ ଏକ ବୈଠକ ବସିଥିଲା। ଏଥିରେ ଗୋବିନ୍ଦ ପଟ୍ଟନାୟକ, ରାଧାଶ୍ୟାମ ପଣ୍ଡା, ରମେଶ ପ୍ରଧାନ, ମନୋଜ ମହାପାତ୍ର, ଦେବାନନ୍ଦ ପ୍ରଧାନ, ଦେବଶିଷ ପଟ୍ଟନାୟକ, ସ୍ୱରୂପ ପଣ୍ଡା, ଲୋକନାଥ ମିଶ୍ର, ରୁପାଞ୍ଜୟ ଚୌଧୁରୀ, ଭଗବାନ ପୁରୋହିତଙ୍କ ସମେତ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।ଅନ୍ୟପକ୍ଷରେ, ଏହି ରାସ୍ତାରେ ଚାଲୁଥିବା ଆଶ୍ ବୋଝେଇ ଗାଡ଼ିଗୁଡ଼ିକୁ ଦିନ ବଦଳରେ ରାତିରେ ଚଳାଚଳ କରାଇବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଏହି ନିୟମ ଉଲ୍ଲଂଘନ କରି ଦିନବେଳେ ଗାଡ଼ି ଚଳାଚଳ କରୁଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ରାସ୍ତା କାମ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ନିୟମାନୁସାରେ ଭାରୀ ଯାନବାହନ ଚଳାଚଳ ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

