ସମ୍ବଲପୁର,୦୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ଆୟୋଜିତ ୟୋନେକ୍ସ–ସନରାଇଜ୍ ସମ୍ବଲପୁର ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍ ବୁର୍ଲାସ୍ଥିତ ବିଜୁ ପଟ୍ଟନାୟକ ମଲ୍ଟିପରପଜ୍ ଇଣ୍ଡୋର ଷ୍ଟାଡିୟମ୍ରେ ଉଦଯାପିତ ହୋଇଛି। ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ଏମ୍ସିଏଲ୍, ବୁର୍ଲାର ଜିଏମ୍ (ଅର୍ଥ) ସଞ୍ଜୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବତନ ଖେଳାଳି ଦେବେନ୍ଦ୍ର ମିଶ୍ର, ଭିସୁଟ୍ର ସହକାରୀ ପ୍ରଫେସର ଡ. ପ୍ରିୟଦର୍ଶୀ ତାପସ ରଞ୍ଜନ ସ୍ୱାଇଁ, ମାନଭଞ୍ଜନ ପଣ୍ଡା, ଏମ୍ସିଏଲ୍ ଅଧିକାରୀ ସରୋଜ କୁମାର ସୋରେନ ଓ ନନ୍ଦ କିଶୋର, ସମ୍ବଲପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ଉପସଭାପତି ପ୍ରବୀଣ ବେହେରା, ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ରେଫରି ଲକ୍ଷପତି ନନ୍ଦ, ସଂଯୋଜକ ଅଭିଷେକ ବିଶ୍ୱାସ ଓ ରାଜେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।ଜାତୀୟସ୍ତରୀୟ ଅମ୍ପାୟାର ଟିକେଶ୍ୱର ସାହୁଙ୍କ ସଂଯୋଜନାରେ ହୋଇଥିବା ଉଦଯାପନୀ ସଭାରେ ଅତିଥିମାନେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ କ୍ରୀଡ଼ାର ଗୁରୁତ୍ୱ ଉପରେ ମତ ରଖିଥିଲେ। ବିଜୟ ଓ ପରାଜୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କହି, ବିଚଳିତ ନହୋଇ ଶୃଙ୍ଖଳାର ସହ କ୍ରୀଡ଼ାରେ ମନୋନିବେଶ କରିବାକୁ ଖେଳାଳିମାନଙ୍କୁ ଆହ୍ୱାନ ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ କୁଚିଣ୍ଡା, ହୀରାକୁଦ, ରେଢ଼ାଖୋଲ, ରେଙ୍ଗାଲି, ବୁର୍ଲା ଓ ସମ୍ବଲପୁରର ୨୩୨ ଜଣ ବାଳକ ଓ ବାଳିକା ଖେଳାଳି ଭାଗ ନେଇଥିଲେ। ୯, ୧୧, ୧୩, ୧୫, ୧୭ ଓ ୧୯ ବର୍ଷରୁ କମ୍ ବର୍ଗ ସହ ସିନିୟର ବର୍ଗରେ ପ୍ରତିଯୋଗିତା ହୋଇଥିଲା। ବିଭିନ୍ନ ବର୍ଗରେ ମୋଟ ୨୪ଟି ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ପୁରୁଷ ସିନିୟର ସିଙ୍ଗଲ୍ସରେ ଆରଣ୍ୟକ ଦାସ ଚାମ୍ପିୟନ ହୋଇଥିବା ବେଳେ ରେହାନ ପ୍ରଧାନ ରନର୍ସଅପ୍ ହୋଇଥିଲେ। ମହିଳା ସିନିୟର ସିଙ୍ଗଲ୍ସରେ ଲିଜୁନ ସ୍ୱାଇଁ ବିଜେତା ଏବଂ ସାନଭି ଗଥାନି ଉପବିଜେତା ହୋଇଥିଲେ। ପୁରୁଷ ଡବଲ୍ସରେ ତୌସିଫ ଖାନ ଓ ଲକ୍ଷ୍ମଣ ପ୍ରେମକିଷନ ଚାମ୍ପିୟନ ହୋଇଥିବା ବେଳେ ଆଶୁତୋଷ ସେଠୀ ଓ ଇ. ପ୍ରେମ କୁମାର ଉପବିଜେତା ହୋଇଥିଲେ। ଅତିଥିମାନେ ବିଜେତା ଓ ଉପବିଜେତା ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।ଚାମ୍ପିୟନଶିପ୍ରେ ଓଡ଼ିଶା ବ୍ୟାଡମିଣ୍ଟନ ସଂଘର ସ୍ୱୀକୃତିପ୍ରାପ୍ତ ଅମ୍ପାୟାର ଟିକେଶ୍ୱର ସାହୁ, ସୌମିତ୍ରୀ ପ୍ରସାଦ ଦାସ, ବବୁଲୁ ସାହୁ, ମଣି ବେଜି, ହେମାନନ୍ଦ ଥପା, ସୂର୍ଯ୍ୟ ପାଣିଗ୍ରାହୀ, ନୀଳାଞ୍ଚଳ ସେଠୀ, ବବୁଲୁ ପ୍ରଧାନ, ସନ୍ଦୀପ ନାୟକ, ତପୁନ ସାହୁ ଓ ସ୍ୱରାଜ ସିଂ ଛୁରିଆ ମ୍ୟାଚ୍ ପରିଚାଳନା କରିଥିଲେ। ଶଶାଙ୍କ ଶେଖର ଜେନା, ସୁରଜ ପଟ୍ଟନାୟକ ଓ ପ୍ରଜ୍ୱଳିତ ପାତ୍ର ପରିଚାଳନାରେ ସହଯୋଗ କରିଥିଲେ।

