ମହାନଗରମୁଖ୍ୟ ଖବରରାଜ୍ୟ

ସୁସ୍ଥ ପରିବେଶ ପାଇଁ ସାଥୀ ର ଅତିରିକ୍ତ ଜିଲ୍ଲାପାଳ ସହ ଆଲୋଚନା

ରାଉରକେଲା,୨୧/୨ (ଉତ୍କଳ ସମାଚାର):: ସ୍ମାର୍ଟ ସିଟି ରାଉରକେଲା ର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସାଥୀ ଦୀର୍ଘ ୨୫ ବର୍ଷ ହେବ ଭାଷା, ସଂସ୍କୃତି ତଥା ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରିଆସୁଛି। ପରିବେଶ ବଞ୍ଚିଲେ ଆମେ ବଞ୍ଚିବା।ଏହି ଲକ୍ଷ୍ୟକୁ ନେଇ ବିଭିନ୍ନ ସମୟରେ ସହରର ପରିମଳ ବ୍ୟବସ୍ଥା ହେଉ କିମ୍ଵା ବାୟୁ ପ୍ରଦୂଷଣ ସମସ୍ୟା ହେଉ, ସାଥୀ ସବୁ ସମୟରେ ନିଜର ସ୍ୱର ଉତ୍ତୋଳନ କରିବା ସହ ନିଜର ଉତ୍ତରଦାୟିତ୍ବ ନିର୍ବାହ କରିଆସିଛି। ଏହି କ୍ରମରେ ଆଜି ସାଥୀ ର କର୍ମକର୍ତ୍ତାଗଣ ସଭାପତି ସଦାନନ୍ଦ ସାହୁ ଙ୍କ ନେତୃତ୍ୱରେ ରାଉରକେଲା ମହାନଗର ନିଗମ ର ଆୟୁକ୍ତ ତଥା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ମହାନଗର ନିଗମ କାର୍ଯ୍ୟାଳୟରେ ସାକ୍ଷାତ କରି ସହରରେ ଅବାଧରେ ଚାଲିଥିବା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ତଥା ଥର୍ମକୁଲ ର ବହୁଳ ବ୍ୟବହାର ର ପ୍ରାଦୁର୍ଭାବ ସମ୍ପର୍କରେ ଆଲୋଚନା କରିଥିଲେ। ସାଥୀ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ଦିନକୁ ଦିନ ସହରରେ ଏସବୁ ପଦାର୍ଥର ବିକ୍ରି ଉପରେ କଟକଣା ଥିବା ସତ୍ତ୍ୱେ ସହରର କିଛି ବ୍ୟବସାୟୀ ଏ ସମ୍ପର୍କିତ ପ୍ରଶାସନ ର ନିର୍ଦ୍ଦେଶକୁ ଫୁ କରି ଉଡେଇଦେବା ତଥା ଖାମଖିଆଲି ମନୋଭାବ ଯୋଗୁଁ ଏହାର ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇପାରୁନାହିଁ। ଶ୍ରୀ ସାହୁ ଏ ସମ୍ପର୍କରେ ମହାନଗର ନିଗମ ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ନିକଟରେ ପ୍ରକାଶିତ ସ୍ୱଚ୍ଛ ସର୍ଭେକ୍ଷଣ ତାଲିକା ରେ ରାଉରକେଲା ର ସ୍ଥାନ ୪୩ତମ ସ୍ତରରୁ ୧୧୯ ତମ ସ୍ଥାନକୁ ଖସି ଯାଇଥିବାରୁ, ସାଥୀ ର ସଦସ୍ୟ ମାନେ ମଧ୍ୟ ଏହା ଉପରେ ଦୃଷ୍ଟି ଆକର୍ଷଣ କରି ପୁନଶ୍ଚ କିପରି ଆମ ପ୍ରିୟ ସହର ରାଉରକେଲାର ସ୍ଥାନ ପୁନଶ୍ଚ କିପରି ସ୍ୱଚ୍ଛତାରେ ଉପରେ ରହିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ସହରର ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟରେ ସାଥୀ ଅନୁଷ୍ଠାନ ନିଜର ସହଯୋଗ ଜାରି ରଖିବାକୁ ବଦ୍ଧ ପରିକର ବୋଲି ଆୟୁକ୍ତଙ୍କୁ ସୂଚନା ଦେଇଥିଲେ। ମହାନଗର ନିଗମ ଆୟୁକ୍ତ ଶ୍ରୀ କୁଲକର୍ଣ୍ଣି ଏ ସମସ୍ତ କଥାକୁ ଧୈର୍ଯ୍ୟର ସହ ଶୁଣିବା ସହ ସମସ୍ତ ସମସ୍ୟାର ସମାଧାନ କରିବାକୁ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ସାଥୀ ର କର୍ମକର୍ତ୍ତାଙ୍କୁ ଆଶ୍ୱାସନ ଦେଇଥିଲେ। ଏହି ପ୍ରତିନିଧି ମଣ୍ଡଳରେ ସାଥୀ ସମ୍ପାଦକ ରଜନୀକାନ୍ତ ସ୍ବାଇଁ, ଭାଗବତ ପ୍ରସାଦ ସାହୁ, ଶ୍ରୀକାନ୍ତ ସାମଲ, ଗଣେଶ ବଡାଇକ, ଭାଗ୍ୟଧର ରାଉତ, କାର୍ତ୍ତିକ ନାୟକ, ପ୍ରଦୀପ୍ତ କୁମାର ରାଉତ, ଦଶରୁ କିଷାନ, ସୁବାଷ କିଣ୍ଡୋ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *