ମହାନଗରମୁଖ୍ୟ ଖବରରାଜ୍ୟ

ତ୍ୟାଗ ଓ ସେବାର ପରିଭାଷା ଜାଣିବା ପାଇଁ ହେଲେ ‘ଗଡ଼ଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କୁ ବୁଝିବାକୁ ହେବ – ଧର୍ମେନ୍ଦ୍ର ପ୍ରଧାନ 

ଢେଙ୍କାନାଳ,୨୩/୨ (ଉତ୍କଳ ସମାଚାର): ତ୍ୟାଗ ଓ ସେବାର ପରିଭାଷାକୁ ବୁଝିବାକୁ ହେଲେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ‘ଗଡଜାତ ଗାନ୍ଧୀ’ ପୁଣ୍ୟାତ୍ମା ସାରଙ୍ଗଧର ଦାସଙ୍କୁ ବୁଝିବାକୁ ହେବ । ତାଙ୍କର ଜନ୍ମଭୂମି ହରେକୃଷ୍ଣପୁରକୁ ଯିବା ପାଇଁ  ପଡିବ ବୋଲି ଶୁକ୍ରବାର ଢେଙ୍କାନାଳର ଜିଲ୍ଲା ଅଡିଟୋରିୟମରେ ଏହି ସଂଗ୍ରାମୀଙ୍କ ସ୍ମୃତିରେ ଡାକ ଟିକେଟ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଜା ଆନ୍ଦୋଳନର ପୁରୋଧା ତଥା ମହାନ ବିପ୍ଳବୀ ସାରଙ୍ଗଧର ଦାସଙ୍କ ସ୍ମୃତିରେ ଡାକ  ଟିକେଟ ଉନ୍ମୋଚନ ସହ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ୨୩ଟି ଡାକଘର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଢେଙ୍କାନାଳ ଜିଲ୍ଲା ଏକ ସ୍ୱାଭିମାନୀ ଓ ସାଂସ୍କୃତିକ ସମ୍ପନ୍ନ ଅଞ୍ଚଳ । ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, ଶହୀଦ ବାଜି ରାଉତ, ବୀର ବୈଷ୍ଣବ ଚରଣ ପଟ୍ଟନାୟକ, ମହେଶ ଚନ୍ଦ୍ର ସୁବାହୁ ସିଂ, ପବିତ୍ର ମୋହନ ପ୍ରଧାନ ଓ ରାଜା ସୋମନାଥ ସିଂହ ଜଗଦ୍ଦେବ ଆମ ଅଞ୍ଚଳର ଗୌରବ । ଆମେ ଆମର ପୂର୍ବ ପୁରୁଷଙ୍କୁ ଯଥୋଚିତ ସମ୍ମାନ ଦେବା ଉଚିତ୍ । ଏହି ମହାପୁରୁଷଙ୍କ ଉପରେ ଆଲୋଚନା କଲେ ହିଁ ସେମାନଙ୍କ ପରିଚୟ ପୂର୍ଣ୍ଣାଙ୍ଗ ହେବ । ଦେଶ ମାତୃକା ସେବା ପାଇଁ ସାରଙ୍ଗଧର ଦାସ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ତାଙ୍କ ସର୍ବସ୍ୱ ସମ୍ପତ୍ତି ସମାଜ ପାଇଁ ଜିଲ୍ଲା ପ୍ରଶାସନକୁ ଦାନ କରି ଦେଇଥିଲେ । ଏହା ହେଉଛି ଢେଙ୍କାନାଳର ସଂସ୍କାର ଓ ଗଡଜାତ ଅଞ୍ଚଳର ଲୋକଚରିତ୍ର । ଆଜି ସେହି ତ୍ୟାଗ ଓ ସେବାର ମୂର୍ତ୍ତିବନ୍ତ ପ୍ରତୀକ ସାରଙ୍ଗଧର ଦାସଙ୍କ ଉପରେ ଉନ୍ମୋଚିତ ଡାକ ଟିକଟ ତାଙ୍କର ବିଚାର ଓ ମୂଲ୍ୟବୋଧକୁ ନୂଆପିଢି ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଡାକ ବିଭାଗ ଭାରତୀୟ ଜନଜୀବନର ଓ ଆମ ସାହିତ୍ୟରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ଅନେକ ସାହିତ୍ୟ, କବିତା, ଆଶା ଓ ଆକାଂକ୍ଷା ଡାକ ବିଭାଗ ସହ ଯୋଡି ହୋଇଛି । ଓଡ଼ିଶାରେ ୨୦୧୪ ପର୍ଯ୍ୟନ୍ତ ୮, ୪୯୦ଟି ଡାକ ଘର ଥିଲା । ବିଗତ ୧୦ ବର୍ଷ ମଧ୍ୟରେ ମୋଦି ସରକାରରେ ନୂଆ ୫୦୦ରୁ ଅଧିକ ଡାକ ଘର ତିଆରି ହୋଇଛି । ଗତ ୨୦ ତାରିଖରେ ସନ୍ଥକବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଯଥା ନୂଆଁଖାଇ, ଶୀତଳଷଷ୍ଠୀ, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ ଉପରେ ଗୋଟିଏ ଲେଖାଏଁ ଡାକ ଟିକଟ ଏବଂ ଧନୁଯାତ୍ରା ଉପରେ ଦୁଇଟି ଡାକ ଟିକଟ ଉନ୍ମୋଚିତ ହୋଇଛି । ୫ ଜିଲ୍ଲାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ ମଧ୍ୟ ହୋଇଥିଲା । ଆଜି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ୨୩ଟି ଡାକଘର ଲୋକାର୍ପଣ ହେବା ବଡ ଉପଲବ୍ଧି । ମୋଦି ସରକାରରେ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ଡାକ ଘରର ରୂପରେଖ ବଦଳିଛି । ବ୍ୟାଙ୍କ୍ ଭଳି ସମସ୍ତ ସୁବିଧା ଡାକ ଘର ପକ୍ଷରୁ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଉଦଘାଟିତ ନୂତ ଡାକ ଘର ନାଗରିକଙ୍କୁ ତ୍ୱରିତ ଡାକସେବା ହାତ ପାଆନ୍ତାରେ ପହଞ୍ଚାଇ ସ୍ଥାନୀୟ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ ବୋଲି ସେ କହିଛନ୍ତି । ସମ୍ଭବତଃ ଦେଶ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାରେ ପ୍ରଥମେ କୋଣାର୍କର ଘୋଡାରୁ ଡାକ ଟିକେଟ ଆରମ୍ଭ ହୋଇଥିବା କୁହାଯାଏ । ଏହାର ପ୍ରାୟ ୬ ବର୍ଷ ପରେ ରାଉରକେଲା ଇସ୍ପାତ୍ କାରଖାନାକୁ ନେଇ ଡାକ ଟିକେଟ୍ ହେଲା । ୧୯୪୯ରୁ ୧୯୬୬ ମସିହା ପର୍ଯ୍ୟନ୍ତ ଓଡ଼ିଶାକୁ ନେଇ ୫ଟି ଡାକ ଟିକେଟ୍ ହୋଇଥିଲା । ଆଜି ଓଡ଼ିଶାରେ ମୋଟ ୭୪ଟି ଡାକ ଟିକେଟ୍ ରହିଛି । ୩୦ରୁ ଅଧିକ ଡାକ ଟିକେଟ କେବଳ ବିଗତ ୧୦ ଭିତରେ ମୋଦି ସରକାରରେ ହୋଇଛି । ଏହା ମୋଦିଙ୍କର ପ୍ରତିବଦ୍ଧତା । ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଏବଂ ଓଡ଼ିଶାର ଅବଦାନ ଦେଶ ସ୍ୱାଧୀନତା ସଂଗ୍ରାମରେ ଯେତେ ଅବଦାନ ଅଛି ଓଡ଼ିଶା ସେତେ ଅଗ୍ରାଧିକାର ପାଇନାହିଁ । ଦେଢ ହଜାର ବର୍ଷ ପୂର୍ବେ ଏହି ଅଞ୍ଚଳରେ ତମ୍ବା ପାତ୍ରରେ ଲେଖା ହେଉଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି । ତେବେ ଏହି ଅଞ୍ଚଳରେ ସଂସ୍କୃତି ଓ ସମୃଦ୍ଧିର ସମନ୍ୱୟ କେତେ ଥିଲା, ତାହା ଜଣାଯାଏ । ମାତ୍ର ଏଠି କିଛି ଲୋକମାନେ ନଖ ଛିଣ୍ଡେଇ ଶହୀଦ ହେବାର ଅଭିନୟ କରୁଛନ୍ତି । ସେମାନେ ଜାଣିବା ଦରକାର ଆମର ୧୨ବର୍ଷର ବାଜି ରାଉତ ମା’ ମାଟିର ସୁରକ୍ଷା ପାଇଁ ଦେଶର ସ୍ୱତନ୍ତ୍ରତା ଓ ସ୍ୱାଭିମାନ ପାଇଁ ବ୍ରିଟିଶ ମାନଙ୍କ ଠାରୁ ଗୁଳି ଖାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ, ଗତ ବର୍ଷ ଅଗଷ୍ଟ ୨୭ ତାରିଖରେ ଢେଙ୍କାନାଳ ହରେକୃଷ୍ଣପୁରରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାରଙ୍ଗଧର ଦାସଙ୍କ ଗ୍ରାମରେ ଥିବା କାଳରେ ତାଙ୍କ  ନାମରେ  ଡାକ ଟିକଟ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହି ମହାପୁରୁଷଙ୍କୁ ଉପଯୁକ୍ତ ସମ୍ମାନ ପାଇଁ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଡାକଘର ମାଧ୍ୟମରେ ମୋଦି ସରକାରଙ୍କ ଯୋଜନାର ଲାଭ ପାଉଥିବା ହିତାଧିକାରୀଙ୍କ ସହ ମଧ୍ୟ ସେ କଥା ହୋଇଥିଲେ । 

Leave a Reply

Your email address will not be published. Required fields are marked *