ନବରଙ୍ଗପୁର,6//10,(ଉତ୍କଳ ସମାଚାର):ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ପ୍ରକ୍ରିୟାକରଣକୁ ଅଧିକ ଦ୍ରୁତ, ସ୍ୱଚ୍ଛ, ଦକ୍ଷ ଓ ସମୟବଦ୍ଧ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା OSWAS (Odisha State Workflow Automation System) ର କାର୍ଯ୍ୟକାରୀ ରୂପାୟଣ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ପୁଣିଥରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେପ୍ଟେମ୍ବର ୨୦୨୬ ମାସରେ ଫାଇଲ୍ ପ୍ରକ୍ରିୟାକରଣର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ସହ ଲଗାତାର ତୃତୀୟ ମାସ ପାଇଁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି।ସେପ୍ଟେମ୍ବର ମାସର OSWAS ପ୍ରଦର୍ଶନ ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗ ୧,୮୦୦ଟି ଫାଇଲ୍ ପ୍ରକ୍ରିୟାକରଣର ଲକ୍ଷ୍ୟ ବିପକ୍ଷରେ ୧,୮୬୦ଟି ଫାଇଲ୍ ପ୍ରକ୍ରିୟାକରଣ କରି ଲକ୍ଷ୍ୟ ଅତିକ୍ରମ କରିଛି। ସେହିପରି ରାଜସ୍ୱ ବିଭାଗ ୧,୦୬୬ଟି ଏବଂ ନ୍ୟାୟିକ ବିଭାଗ ୭୮୮ଟି ଫାଇଲ୍ ପ୍ରକ୍ରିୟାକରଣ କରି ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ସଫଳତା ହାସଲ କରିଛନ୍ତି।ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟ ମଧ୍ୟରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ନବରଙ୍ଗପୁର ୧,୨୦୦ଟି ଫାଇଲ୍ ପ୍ରକ୍ରିୟାକରଣର ଲକ୍ଷ୍ୟ ବିପକ୍ଷରେ ୧,୨୪୦ଟି ଫାଇଲ୍ ପ୍ରକ୍ରିୟାକରଣ କରିଛି। ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ୧,୧୦୩ଟି ଏବଂ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ୨୮୪ଟି ଫାଇଲ୍ ପ୍ରକ୍ରିୟାକରଣ କରି ନିଜ ନିଜ ଲକ୍ଷ୍ୟ ଅତିକ୍ରମ କରିଛନ୍ତି।ବ୍ଲକ୍ ସ୍ତରରେ ମଧ୍ୟ OSWAS ଫାଇଲ୍ ପ୍ରକ୍ରିୟାକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ହୋଇଛି। ନବରଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ୬୦୦ଟି ଫାଇଲ୍ ପ୍ରକ୍ରିୟାକରଣର ଲକ୍ଷ୍ୟ ବିପକ୍ଷରେ ୧,୦୫୩ଟି ଫାଇଲ୍ ପ୍ରକ୍ରିୟାକରଣ କରିଥିବାବେଳେ ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ୬୦୦ଟି ଲକ୍ଷ୍ୟ ବିପକ୍ଷରେ ୬୩୧ଟି ଫାଇଲ୍ ପ୍ରକ୍ରିୟାକରଣ କରି ଉତ୍କୃଷ୍ଟ ପ୍ରଦର୍ଶନ କରିଛି।ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆଜି ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡ. ମହେଶ୍ୱର ସ୍ୱାଇଁ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସମ୍ବର୍ଦ୍ଧିତ ଅଧିକାରୀମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ସମିନା ଅଖତରୀ, ଡେପୁଟି କଲେକ୍ଟର ଗୀତାଞ୍ଜଳି ବେହେରା, ଡେପୁଟି କଲେକ୍ଟର ଭାଗ୍ୟଶ୍ରୀ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ପାଢ଼ୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ନବରଙ୍ଗପୁର ବିଡିଓ ସୁନୀଲ ଖରା ଏବଂ ଉମରକୋଟ ବିଡିଓ ମନୋଜ କୁମାର ମେହେର ପ୍ରମୁଖ ଥିଲେ।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ରହି OSWASର ସୁଚାରୁ ବ୍ୟବହାର ମାଧ୍ୟମରେ ସରକାରୀ କାର୍ଯ୍ୟରେ ଦକ୍ଷତା, ପାରଦର୍ଶିତା ଓ ସମୟବଦ୍ଧତା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଡ. ସ୍ୱାଇଁ OSWAS ମାଧ୍ୟମରେ ଫାଇଲ୍ ପ୍ରକ୍ରିୟାକରଣରେ ଦ୍ରୁତତା, ଦକ୍ଷତା ଓ ସମୟବଦ୍ଧତା ବଜାୟ ରଖିବା ସହ ଆଗାମୀ ଦିନରେ ମଧ୍ୟ ଏହି ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ୱାନ ଜଣାଇଥିଲେ। ସରକାରୀ କାର୍ଯ୍ୟରେ ଦକ୍ଷତା, ପାରଦର୍ଶିତା, ଜବାବଦେହିତା ଓ ତ୍ୱରିତ ସେବା ପ୍ରଦାନ ସୁନିଶ୍ଚିତ କରିବାରେ OSWAS ଏକ ପ୍ରଭାବଶାଳୀ ଡିଜିଟାଲ୍ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

