ସମ୍ବଲପୁର,୦୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପରିବେଶ ସୁରକ୍ଷା ଓ ଗ୍ରାମର ସ୍ଥାୟୀ ବିକାଶ ଲକ୍ଷ୍ୟରେ ରୋଟାରୀ କ୍ଲବ୍ ଅଫ୍ ସମ୍ବଲପୁର ଗ୍ରେଟର ପକ୍ଷରୁ ଜୁଜୁମୁରା ବ୍ଲକ୍ର ଦତ୍ତକ ଗ୍ରାମ କୁମକାରେ ମଙ୍ଗଳବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ୧୦୮ଟି ଚାରା ରୋପଣ କରାଯାଇଥିବାବେଳେ ଅର୍ଦ୍ଧାଧିକ ଫଳଦାୟୀ ବୃକ୍ଷର ଚାରା ଥିଲା।କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ଗ୍ରାମବାସୀ ଯୋଗଦେଇଥିଲେ। ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ଉଲ୍ଲେଖନୀୟ ଥିଲା। ଚାରାରୋପଣ ପରେ ରୋଟାରୀ ସଦସ୍ୟ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଗ୍ରାମବାସୀ ନିଜ ଅଞ୍ଚଳର ସମସ୍ୟା, ଆବଶ୍ୟକତା ଓ ବିକାଶ ପ୍ରସଙ୍ଗ ଉଠାଇଥିବାବେଳେ, ସେଗୁଡ଼ିକର ସମାଧାନ ପାଇଁ ଦୀର୍ଘକାଳୀନ ସହଯୋଗର ଆଶ୍ୱାସନ ଦେଇଥିଲା କ୍ଲବ୍।କୁମକାକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ିବା ଲକ୍ଷ୍ୟରେ ପରିବେଶ ସୁରକ୍ଷା ସହ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ, ଜୀବିକା ଓ ସାମାଜିକ ବିକାଶ କ୍ଷେତ୍ରରେ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ରୋଟାରୀ ପକ୍ଷରୁ କୁହାଯାଇଥିଲା।କୁମକା ଗ୍ରାମ ସମିତିର ସଭାପତି ଦିଲ୍ଲୀପ ମିର୍ଧା, ସମ୍ପାଦକ ପ୍ରମୋଦ ରଣା ଓ ସଂଯୋଜକ ଅଜୟ ବେହେରା ଆଲୋଚନାରେ ଯୋଗଦେଇଥିଲେ। ରୋଟାରୀ କ୍ଲବ୍ର ସଭାପତି ଜିଜି ଜୋସେଫ, ସମ୍ପାଦକ ଲକ୍ଷ୍ମୀକାନ୍ତ ମହାପାତ୍ର, ସନ୍ତୋଷ ରାଓ, ସୁଚିସ୍ମିତା ସାରଙ୍ଗୀ, ପରୱେଜ ଅଲୀ ଖାନ, ଡା. ଦୀପକ ପାଣିଗ୍ରାହୀ, ରାଜୀବ ଜୈନ, ଆନନ୍ଦ ମିଶ୍ର, ପ୍ରତିଭା ବାରିକ, ଅମିତାଭ ପରିଡ଼ା, ଶୁଭ୍ରଜିତ ସିଂହ ଓ ବିକ୍ରମାଦିତ୍ୟ ସିଂହ ଦେଓଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

