ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ): କୁଚିଣ୍ଡାସ୍ଥିତ ମହିଳା କନିଷ୍ଠ ମହାବିଦ୍ୟାଳୟ ପରିସରରେ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଦୁଇ ଶହରୁ ଊର୍ଦ୍ଧ୍ୱ ଛାତ୍ରୀ ସାମିଲ ହୋଇ ଚାରା ରୋପଣ କରିଥିଲେ।
କଲେଜ ସଭାଗୃହରେ ଅଧ୍ୟକ୍ଷ ଅଧିକାରୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବନ୍ୟପ୍ରାଣୀଙ୍କ ସୁରକ୍ଷା ହିଁ ପରିବେଶର ସୁରକ୍ଷା ବୋଲି ସେ କହିଥିଲେ। ସାମାଜିକ କର୍ମୀ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣାକର କିସାନ ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରାରମ୍ଭରେ କଲେଜର ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା କୁମାରୀ ନାଏକ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ମା’ ସମଲେଶ୍ୱରୀ ଓ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ I କଲେଜ କର୍ମଚାରୀ ତିକେଶ୍ୱର ସାହୁ ଏବଂ ଛାତ୍ରୀ ପଦ୍ମିନୀ ପଧାନ, ସୋନାଲି ଟପୋ, କୁମାରୀ କିଷାନ, ଜ୍ୟୋତିର୍ମୟୀ ଖଡ଼ିଆ, ବର୍ଷା କବାଟ, ବିନୋଦିନୀ ଦେହୁରୀ, ଲୁସି ରାଣୀ ଦେହୁରୀ, ସରିତା ବିଶ୍ୱାଳ ଓ ବିଦେଶିନୀ ବାଘଙ୍କ ନେତୃତ୍ୱରେ ଛାତ୍ରୀମାନେ ବୃକ୍ଷରୋପଣ କରିଥିଲେ। ନିଜ ଜନ୍ମଦିନରେ ଚାରା ରୋପଣ କରି ତାହାର ଯତ୍ନ ନେବା ସହ ବନ୍ୟପ୍ରାଣୀଙ୍କୁ ଭଲ ପାଇବା ପାଇଁ ମୁଖ୍ୟ ଅତିଥି ଶ୍ରୀ ନାୟକ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଶେଷରେ ରେଡକ୍ରସ ଅଧିକାରୀ ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I
