ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ମା’ ସମଲେଶ୍ୱରୀଙ୍କ ବିଭିନ୍ନ ରୂପକୁ ଆଧାର କରି ପ୍ରସ୍ତୁତ ସମ୍ବଲପୁରୀ ଭଜନ ‘କାଣା ଗୁହାରିମି ମାଁ’ ଆଜି ଲୋକାର୍ପିତ ହୋଇଛି। ଡ. ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ ଭଜନଟି ରଚନା କରିଥିବାବେଳେ ଯୁବ କଣ୍ଠଶିଳ୍ପୀ ଆଲୋକ ସାହୁ କଣ୍ଠଦାନ କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଶ୍ରୀମତୀ ଜ୍ୟୋତ୍ସ୍ନା ମିଶ୍ର ଏହାର ପ୍ରଯୋଜନା କରିଛନ୍ତି।ଭଜନରେ ଆଲୋକ ସାହୁ ଅଭିନୟ କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି। ସୁନୀତା ଖମାରୀ, ମୋନାଲିସା ଭୋଇ, ମୋନାଲିସା ସାହୁ, ମଧୁସୂଦନ ଭୋଇ ଓ ସୁନୀଲ ପଧାନ ଅଭିନୟରେ ସହଯୋଗ କରିଛନ୍ତି।ବରଗଡ଼ର ସତ୍ୟମ ଷ୍ଟୁଡିଓରେ ଭଜନଟି ରେକର୍ଡିଂ ହୋଇଥିବାବେଳେ ଏମ୍.ଡି. ତଫିକ୍ ଖାନ୍ ରେକର୍ଡିଂ କରିଛନ୍ତି। ବିକାଶ ପଧାନ କ୍ୟାମେରା ଦାୟିତ୍ୱରେ ଥିଲେ ଏବଂ ସଞ୍ଜିତ ବିଶ୍ୱାଳ ସମ୍ପାଦନା କରିଛନ୍ତି। ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଗୀତର ସୁଟିଂ ହୋଇଥିଲା। ଏଥିରେ ପୂଜକ ଦେବୀ ପ୍ରସାଦ ଭୋଇ ବିଶେଷ ସହଯୋଗ କରିଥିଲେ। ଭଜନରେ ପାରମ୍ପରିକ ସମ୍ବଲପୁରୀ ବାଦ୍ୟର ପ୍ରୟୋଗ ଏହାର ଅନ୍ୟତମ ବିଶେଷତ୍ୱ। ଏହା ‘ପାହାଁତି’ ମାଧ୍ୟମରେ ପ୍ରଦର୍ଶିତ ହେବ।ଲୋକାର୍ପଣ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଦର୍ପନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଭବାନୀଶ ଭୋଇ, ସମାଜସେବୀ ମୁରଲୀ ପ୍ରଧାନ, ପୂଜକ ଦେବୀ ପ୍ରସାଦ ଭୋଇ ଓ ବାସୁଦେବ ଭୋଇ, ବରିଷ୍ଠ ଶିକ୍ଷକ ଅଶ୍ୱିନୀଧର ସା, ପାତ୍ର ପ୍ରଡକ୍ସନ୍ସର ପ୍ରଯୋଜକ ଭୋଜରାଜ ପାତ୍ର, ଯୁବ କଳାକାର ମଧୁସୂଦନ ଭୋଇ ଏବଂ ପାହାଁତି ପରିବାରର ଉପଦେଷ୍ଟା ଭାଗ୍ୟଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

