ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଆନ୍ଦୋଳନ ଓ ରାଜନୀତିଠାରୁ ଉପରେ ମାନବିକତା—ଓଡ଼ିଶା ବନ୍ଦ ସମୟରେ ଏହାର ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁରର କଂଗ୍ରେସ ନେତା ଜିତେନ୍ଦ୍ର ପ୍ରଧାନ। ଯାତାୟାତ ବାଧାପ୍ରାପ୍ତ ଥିବାବେଳେ ଜଣେ ଅସହାୟ ମା’ ଓ ତାଙ୍କ ଅସୁସ୍ଥ ଶିଶୁଙ୍କୁ ସାହାଯ୍ୟ କରି ସେ ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି।ସୂଚନା ଅନୁଯାୟୀ, ବନ୍ଦ ପାଳନ ସମୟରେ ଶିଶୁଟି ଅସୁସ୍ଥ ହୋଇପଡ଼ିବାରୁ ମା’ ତାକୁ ଡାକ୍ତରଖାନା ନେବା ପାଇଁ ରାସ୍ତାରେ ସାହାଯ୍ୟ ଖୋଜୁଥିଲେ। ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ସେ ଅସହାୟ ହୋଇପଡ଼ିଥିଲେ। ଏହି ସମୟରେ ଜିତେନ୍ଦ୍ର ପ୍ରଧାନ ଘଟଣାର ଗୁରୁତ୍ୱ ବୁଝି ତୁରନ୍ତ ଆଗେଇ ଆସିଥିଲେ। ସେ ମା’ ଓ ଶିଶୁଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇବା ସହ ଚିକିତ୍ସାର ବ୍ୟବସ୍ଥା କରିଥିଲେ।ଏ ସମ୍ପର୍କରେ ଜିତେନ୍ଦ୍ର ପ୍ରଧାନ କହିଛନ୍ତି, “ଓଡ଼ିଶା ବନ୍ଦ ସମୟରେ ଲୋକଙ୍କ ସମସ୍ୟାର ସମାଧାନ କରିବା ଆମର ପ୍ରଥମ ଦାୟିତ୍ୱ। ଜଣେ ମା’ ତାଙ୍କ ଅସୁସ୍ଥ ଶିଶୁକୁ ହସ୍ପିଟାଲ ନେବା ପାଇଁ ସାହାଯ୍ୟ ଖୋଜୁଥିଲେ। ଭଗବାନଙ୍କ ଆଶୀର୍ବାଦରୁ ତାଙ୍କୁ ହସ୍ପିଟାଲ ପହଞ୍ଚାଇ ଚିକିତ୍ସାର ବ୍ୟବସ୍ଥା କରିପାରିଲି। ଏହି ସେବା କରି ମୁଁ ଧନ୍ୟ।”ବନ୍ଦ ସମୟରେ ଜନସେବାକୁ ପ୍ରାଥମିକତା ଦେଇ ଜିତେନ୍ଦ୍ର ପ୍ରଧାନ ଦେଖାଇଥିବା ଏହି ମାନବିକତା ସ୍ଥାନୀୟ ଅଞ୍ଚଳରେ ପ୍ରଶଂସିତ ହେଉଛି I

