ସମ୍ବଲପୁର,୦୯/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହ୍ୱାନ କରାଯାଇଥିବା ବନ୍ଦ ରେଙ୍ଗାଲି ବ୍ଲକର ଲଇଡ଼ା ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି। ବନ୍ଦ ଯୋଗୁଁ ଲଇଡ଼ା ସମେତ ଆଖପାଖ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିଲା।ଏମ୍ଏମ୍ଡିଆର୍ ସଂଶୋଧିତ ଅଧିନିୟମକୁ ତୁରନ୍ତ ରଦ୍ଦ କରିବା, ଏସ୍ଆଇଆର୍ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଓଡ଼ିଶାର ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ଏଥିସହିତ, ରାଜ୍ୟରେ ଚାଲିଥିବା ବନ୍ୟା ବିପତ୍ତି ସମୟରେ ଜନସାଧାରଣଙ୍କ ଦୁଃଖଦୁର୍ଦ୍ଦଶା ଦୂର କରିବାକୁ ଓଡ଼ିଶା ସରକାର ଆବଶ୍ୟକ ପଦକ୍ଷେପ ନେଉନଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ।ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିଲା। ଲଇଡ଼ା ଅଞ୍ଚଳର ଦୋକାନବଜାର, ସ୍କୁଲ୍-କଲେଜ, ପେଟ୍ରୋଲ୍ ପମ୍ପ, ବ୍ୟାଙ୍କ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ବସ୍ ଓ ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ତେବେ ଜନସାଧାରଣଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତରଖାନା ଓ ଔଷଧ ଦୋକାନ ଭଳି ଜରୁରୀ ସେବା ଖୋଲା ରହିଥିଲା।ଲଇଡ଼ାରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସମ୍ପାଦକ ସରୋଜ ପୂଜାରୀ, ବରିଷ୍ଠ ଗାନ୍ଧୀବାଦୀ କଂଗ୍ରେସ ନେତା ଗଣେଶରାମ କରାଳୀ, ପୂର୍ବତନ ସମିତି ସଭ୍ୟ ଭବାନୀ ଶଙ୍କର ଭୋଇ, ରାଜନ ସାହୁ ଓ ମାନଭଞ୍ଜନ ରଣାଙ୍କ ସହ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କମ୍ରେଡ୍ ସର୍ବାନନ୍ଦ ସରାଫ, କମ୍ରେଡ୍ ଶୋଷିତ ନାଏକ, କବିର ଶରଣ ନାଏକ, ଆଶିଷ ପୃଷ୍ଟି ଓ ରୋହିତ ପଟେଲ ପ୍ରମୁଖ ଇଣ୍ଡିଆ ମେଣ୍ଟର ନେତା ଓ କର୍ମୀ ବନ୍ଦ ପାଳନରେ ନେତୃତ୍ୱ ନେଇଥିଲେ।ଲଇଡ଼ା ସହ ଆଖପାଖ ଗ୍ରାମାଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା। ଅନେକ ସ୍ଥାନରେ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ବନ୍ଦକୁ ସମର୍ଥନ କରିଥିଲେ। ବନ୍ଦ ପାଳନ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନଥିବାବେଳେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ସମାପ୍ତ ହୋଇଥିଲା

