ସମ୍ବଲପୁର,୦୯/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ନୂଆଁଖାଇ ଆତ୍ମୀୟତା, ପରମ୍ପରା ଓ ଏକତାର ପ୍ରତୀକ ବୋଲି କହିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର କୁଚିଣ୍ଡାରେ ଆୟୋଜିତ ‘ନୂଆଁଖାଇ ଭେଟଘାଟ-୨୦୨୬’ ସମାରୋହରେ ଯୋଗଦେଇ ସେ ଏହା କହିଥିଲେ।କୁଚିଣ୍ଡା କଳା ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ଶ୍ରୀ ପ୍ରଧାନ ନୂଆଁଖାଇ ଭେଟଘାଟର ପବିତ୍ରତା, ଭାଇଚାରା ଓ ଆତ୍ମୀୟତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। କୁଚିଣ୍ଡାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେ କହିଥିଲେ, କୁଚିଣ୍ଡା ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ କେନ୍ଦ୍ର। ୧୯୫୫ ମସିହାରେ ଗଠିତ କୁଚିଣ୍ଡା କଳା ପରିଷଦ ଦୀର୍ଘ ୭୦ ବର୍ଷ ଧରି ଅଞ୍ଚଳର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛି। ଏହା ସଂସ୍କୃତି ପ୍ରତି ଅଞ୍ଚଳବାସୀଙ୍କ ଗଭୀର ନିଷ୍ଠାର ପ୍ରମାଣ ବୋଲି ସେ କହିଥିଲେ।ସ୍ୱାଧୀନତା ଆନ୍ଦୋଳନ, ଓଡ଼ିଶା ଗଠନ ଓ ଓଡ଼ିଆ ଭାଷା ଆନ୍ଦୋଳନରେ ବାମଣ୍ଡା ରାଜା ସାର୍ ସୁଢ଼ଳ ଦେବ, ସ୍ୱଭାବକବି ଗଙ୍ଗାଧର ମେହେର ଓ ଚନ୍ଦ୍ରଶେଖର ବେହେରାଙ୍କ ଅବଦାନକୁ ସେ ସ୍ମରଣ କରିଥିଲେ। କୁଚିଣ୍ଡାର ନୂଆଁଖାଇ କାର୍ଯ୍ୟକ୍ରମ କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ଲୋକଙ୍କ ଆଗ୍ରହ ଓ ଅଭିବ୍ୟକ୍ତିର ପ୍ରମାଣ ବୋଲି ମଧ୍ୟ ସେ କହିଥିଲେ।କାର୍ଯ୍ୟକ୍ରମରେ କଳା ପରିଷଦର କର୍ମକର୍ତ୍ତା ଓ କୁଚିଣ୍ଡାବାସୀଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ପ୍ରଧାନ କହିଥିଲେ, ଆତ୍ମୀୟ ଭେଟଘାଟ ଓ ମନୋରଞ୍ଜନର ଏହି ପରମ୍ପରା ସମାଜରେ ଏକତାକୁ ଦୃଢ଼ କରିବ। ଏଥିରେ ଓଡ଼ିଶାର ଗ୍ରାମୀଣ ବିକାଶ, ପାନୀୟ ଜଳ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ବିଶିଷ୍ଟ ସାଂସ୍କୃତିକ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ I

