ସମ୍ବଲପୁର,୧୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଶନିବାର ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଏଥିରେ ବିଜେପିର ଆଗଧାଡ଼ିର ନେତାମାନେ ଯୋଗଦେଇଥିଲେ। ତେବେ ସହରର ବାସ୍ତବ ସ୍ଥିତିକୁ ଦେଖିଲେ ସ୍ୱଚ୍ଛତା ଅଭିଯାନର ସଫଳତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ବିଭିନ୍ନ ଗଳିକନ୍ଦି, ରାସ୍ତାକଡ଼ ଓ ଡ୍ରେନ୍ରେ ଜମି ରହୁଥିବା ଅଳିଆ ଆବର୍ଜନା ସହରର ପରିମଳ ବ୍ୟବସ୍ଥାର ବାସ୍ତବ ଚିତ୍ର ଦେଖାଉଛି।କେବଳ କାର୍ଯ୍ୟକ୍ରମ, ଫଟୋ ଉଠାଇବା ଓ ପ୍ରଚାରରେ ସ୍ୱଚ୍ଛତା ସୀମିତ ନ ରହି ସହରର ପ୍ରତ୍ୟେକ ଅଞ୍ଚଳରେ ଏହାର ସୁଫଳ ଦେଖାଯିବା ଆବଶ୍ୟକ ବୋଲି ବିଜୁ ଜନତା ଦଳର ସମ୍ବଲପୁର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ. ରୋହିତ ପୂଜାରୀ କହିଛନ୍ତି।ସହରର ବିଭିନ୍ନ ଅଞ୍ଚଳରେ ଡ୍ରେନ୍ରେ ଆବର୍ଜନା ଜମିବା, ରାସ୍ତାକଡ଼ରେ ଅଳିଆ ପଡ଼ି ରହିବା ଏବଂ ନିୟମିତ ସଫେଇ ନ ହେବା ଭଳି ସମସ୍ୟାର ସମାଧାନ ପାଇଁ ମହାନଗର ନିଗମ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି। ଆବର୍ଜନା ଠିକ୍ ସମୟରେ ସଂଗ୍ରହ, ଡ୍ରେନ୍ର ନିୟମିତ ସଫେଇ, କର୍ମଚାରୀଙ୍କ କାର୍ଯ୍ୟର ତଦାରଖ ଏବଂ ପ୍ରତ୍ୟେକ ୱାର୍ଡରେ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା ନିଗମର ମୌଳିକ ଦାୟିତ୍ୱ। ନାଗରିକଙ୍କ ଅଭିଯୋଗ ଶୁଣି ତ୍ୱରିତ ସମାଧାନ କରିବା ମଧ୍ୟ ଆବଶ୍ୟକ।ସମ୍ବଲପୁର ଏକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ସହର। ସହରର ପରିଚୟ ଓ ମର୍ଯ୍ୟାଦା ସହ ସହରବାସୀଙ୍କ ସ୍ୱାସ୍ଥ୍ୟ ଓ ଜୀବନଧାରଣର ମାନ ଜଡ଼ିତ। ଅଳିଆ ଆବର୍ଜନା ଜମି ରହିଲେ ଦୁର୍ଗନ୍ଧ, ମଶାମାଛିଙ୍କ ପ୍ରାଦୁର୍ଭାବ ଓ ରୋଗ ସଂକ୍ରମଣର ଆଶଙ୍କା ବଢ଼ିଥାଏ। ତେଣୁ ସ୍ୱଚ୍ଛତାକୁ ଗୋଟିଏ ଦିନର କାର୍ଯ୍ୟକ୍ରମ ଭାବେ ନ ଦେଖି ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟର ଅବିଚ୍ଛେଦ୍ୟ ଅଂଶ କରାଯିବା ଦରକାର।ଅଭିଯାନର ସଫଳତା ଫଟୋ କିମ୍ବା ପ୍ରଚାରରେ ନୁହେଁ, ବରଂ ରାସ୍ତା, ଡ୍ରେନ୍ ଓ ଗଳିକନ୍ଦି କେତେ ପରିଷ୍କାର ରହୁଛି ତାହାରେ ନିର୍ଭର କରେ। ସହରବାସୀ ନିଜ ଅଞ୍ଚଳରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଆଶା କରୁଛନ୍ତି। ତେଣୁ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନକୁ ପ୍ରଚାରରେ ସୀମିତ ନ ରଖି ସହରର ପରିମଳ ବ୍ୟବସ୍ଥାରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବା ସହ ମହାନଗର ନିଗମ, ପ୍ରଶାସନ ଓ ବିଜେପି ସରକାର ନିଜ ଦାୟିତ୍ୱ ପାଳନ କରନ୍ତୁ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି

